କଟକ: ଆସନ୍ତା 26 ତାରିଖରୁ ବାରବାଟୀ ଷ୍ଟାଡିଅମରେ ଆୟୋଜିତ ହେବାକୁ ଯାଉଛି ଲିଜେଣ୍ଡସ କ୍ରିକେଟ ଲିଗ ( Legends League Cricket ) । ଭେଟରାନ କ୍ରିକେଟର ତଥା କ୍ରିକେଟରୁ ଅବସର ନେଇ ସାରିଥିବା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଥିବା ଏହି କ୍ରିକେଟ ଲିଗର 3 ଟି ମ୍ୟାଚ କଟକରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ 4ଟି ଟିମ ପରସ୍ପର ସହିତ ମୁହାଁମୁହିଁ ହେବେ। ଆସନ୍ତା 26, 27 ଓ 29 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର 3 ଟି ମ୍ୟାଚ ବାରବାଟୀରେ ଖେଳାଯିବ ।
ଏହି ମ୍ୟାଚ ଗୁଡିକରେ ସଫଳତାର ସହ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲିଜେଣ୍ଡସ କ୍ରିକେଟ ଲିଗ ପ୍ରସ୍ତୁତି ବାବଦରେ, ଓସିଏ କର୍ତ୍ତୃପକ୍ଷ ଏବଂ ଆଲୋଚନା କଟକ ପୋଲିସ କମିଶନର ଏକ ବୈଠକରେ ଆଲୋଚନା କରିଛନ୍ତି । ଖେଳାଳିମାନଙ୍କର ଭୁବନେଶ୍ୱରରେ ରହଣି ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମରେ ଖେଳିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଦିଗରେ ଏହି ବୈଠକରେ ଆଲୋଚନା ହୋଇଛି । ଏହି ମ୍ୟାଚରେ 34 ହଜାର ଟିକେଟ ବିକ୍ରି ପାଇଁ ଯୋଜନା ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ 5 ହଜାର ଟିକେଟ ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଛି ।
LLC ଓଡିଶାରେ ଅନୁଷ୍ଠିତ ହେବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି "ଏହି ଲିଜେଣ୍ଡସ କ୍ରିକେଟ ଲିଗ ଛଅଟି ରାଜ୍ୟରେ ଅନୁଷ୍ଠିତ ହେଉଛି । ଓଡିଶାରେ ମଧ୍ୟ ଲିଜେଣ୍ଡସ କ୍ରିକେଟ ଲିଗ ଖେଳାଯିବା ଭେନ୍ୟୁ ଧାର୍ଯ୍ୟ ହୋଇଛି । ଓସିଆ ତରଫରୁ ଆଶା କରାଯାଉଛି କି ଏଭଳି ମ୍ୟାଚ ପ୍ରତି ବର୍ଷ ହେଉ । ଅନ୍ତର୍ଜାତୀୟ କ୍ରିକେଟର ଓଡିଶାକୁ ଆସିବା ଏବଂ ଓଡିଶାରେ ଖେଳିବା ଏହା ସୌଭାଗ୍ୟର କଥା । ଓଡିଶାରେ ଅନ୍ତର୍ଜାତୀୟ ମ୍ୟାଚରେ ଓଡିଶାବାସୀ ଖେଳକୁ ମଧ୍ୟ ଉପଭୋଗ କରିବାରେ ସୁଯୋଗ ପାଇବେ । ସେଥିପାଇଁ ଗଣମାଧ୍ୟମ ମାଧ୍ୟରେ ଅନୁରୋଧ କରାଯାଉଛି କି ଖେଳାଳି ମାନେ ଆସିଲେ ଶାନ୍ତି ଶୃଙ୍ଖଳା ବଜାୟ ରଖିବେ । ଭାରତ ବନାମ ଦକ୍ଷିଣ ଆଫ୍ରିକା ସହିତ ମ୍ୟାଚରେ ଯେଉଁଭଳି ଅପ୍ରିତି କର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଭଳି ଅଘଟଣ ଯେପରି ପୁନର୍ବାର ନ ଘଟେ ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ । ଏକ ଘରୋଇ କମ୍ପାନୀ ଏହି ଲିଜେଣ୍ଡସ କ୍ରିକେଟ ଲିଗରେ ଆୟୋଜକ ରହିଥିବା ବେଳେ ଓଡିଶାରେ ଖେଳ ଅନୁଷ୍ଠିତ ହେଉଥିବାରୁ ଓସିଏ ତରଫରୁ ସେମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଆମର କର୍ତ୍ତବ୍ୟ ।"
ଇଟିଭି ଭାରତ, କଟକ