କଟକ: ଜଷ୍ଟିସ ମହମ୍ମଦ ରଫିକ ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ଜଷ୍ଟିସ ରଫିକ ।
ରାଜସ୍ଥାନ ଚୁରୁ ଜିଲ୍ଲାର ସୁଜନଗଡରେ ୧୯୬୦ ମସିହା ମେ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ରଫିକ । ୧୯୮୦ ମସିହାରେ ବି.କମ୍ ପାସ କରିବା ପରେ ୧୯୮୪ ମସିହାରେ ଏଲଏଲବି ପାସ କରିଥିଲେ । ୟୁନିଭରସିଟି ଅଫ ରାଜସ୍ଥାନରୁ ୧୯୮୬ ମସିହାରେ ସେ ଏମ.କମ ପାସ କରିଥିଲେ । ୧୯୮୪ ମସିହା ଜୁଲାଇ ମାସରୁ ରାଜସ୍ଥାନ ବାରରେ ଯୋଗ ଦେଇ ପ୍ରାଟିସ ଆରମ୍ଭ କରିଥିଲେ । ସେ ସମସ୍ତ ପ୍ରକାର ମାମଲା ପରିଚାଳନାରେ ବେଶ ସିଦ୍ଧହସ୍ତ ଥିଲେ। ସାମ୍ବିଧାନିକ, ଚାକିରି, ଜମି ଅଧିଗ୍ରହଣ, ଟିକସ, ଅବକାରୀ, କମ୍ପାନୀ ମାମଲା ଓ ରେଳବାଇ କ୍ଷତିପୂରଣ ଭଳି ବିଭିନ୍ନ ମାମଲାର ପରିଚାଳନା କରି ଜଷ୍ଟିସ ରଫିକ୍ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ।
ସେହିପରି ରାଜସ୍ଥାନ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସହକାରୀ ସରକାରୀ ଓକିଲ ଏବଂ ଉପ-ସରକାରୀ ଓକିଲ ଭାବେ କାର୍ଯ୍ୟ କରିବା ସହ ସେ କେନ୍ଦ୍ର ସରକାରଙ୍କର ଷ୍ଟାଣ୍ଡିଂ କାଉନସିଲ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ବିଚାରପତି ଭାବେ ଶପଥ ଗ୍ରହଣ ପର୍ଯ୍ୟନ୍ତ ରାଜସ୍ଥାନ ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ସେ ଦାୟିତ୍ୱ ମଧ୍ୟ ସମ୍ଭାଲିଥିଲେ । ୨୦୦୬ ମେ ୧୫ ତାରିଖରେ ସେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ଯୋଗ ଦେଇଥିଲେ । ରାଜସ୍ଥାନରେ ସେ ଦୁଇ ଥର ପାଇଁ ଆକ୍ଟିଂ ଚିଫ୍ ଜଷ୍ଟିସର ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୨୦୧୯ ନଭେମ୍ବର ୧୩ ତାରିଖରେ ମେଘାଳୟ ହାଇକୋର୍ଟକୁ ବଦଳି ହୋଇ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ