କଟକ: ଦୀର୍ଘଦିନର ସ୍ୱପ୍ନ ହେବ ସାକାର । ଗାଁ ଗହଳିରୁ ଆସିଥିବା ଛାତ୍ରଛାତ୍ରୀ ଅନ୍ତର୍ଜାତୀୟ ସ୍ତରରେ ପାଇବେ ସ୍ବତନ୍ତ୍ର ପରିଚୟ । ଆମେରିକାର ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା ଦ୍ବାରା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚ୍ୟାଲେଞ୍ଜରେ ଭାଗ ନେବାକୁ ମନୋନିତ ହୋଇଛନ୍ତି 10 ଜଣିଆ ଟିମ । ଆଉ ଏହି ଟିମର ମଙ୍ଗ ଧରିଛନ୍ତି କଟକ 42 ମୌଜାର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନ ।
ବିଜ୍ଞାନ ଓ ଗବେଷଣା ପ୍ରତି ଇଚ୍ଛୁକ ରାଜ୍ୟର ବଛାବଛା 10 ଛାତ୍ରଛାତ୍ରୀଙ୍କୁ ନେଇ ନବୋନ୍ମେଷ ପ୍ରସାର ଫାଉଣ୍ଡେସନ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ମଡେଲ୍ ନାସା ଯିବ । ଏମାନଙ୍କ ଦ୍ବାରା ତିଆରି ହ୍ୟୁମାନ ପାୱାର ଭେଇକଲ ନାଁ ରହିଛି ଲୁନାର ରୋଭର । ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଏହା 2 ଜଣଙ୍କୁ ନେଇ ବିଚରଣ କରିପାରିବ ।
ଏହାର ଟେକ୍ନିକାଲ ଠାରୁ ମ୍ୟାନେଜମେଣ୍ଟ ସବୁର ମାଷ୍ଟର ମାଇଣ୍ଡ ଏହି ଟିମ । ଏହି ଯାନର ବିଶେଷତ୍ବ ହେଉଛି କି ଏହାର ପାର୍ଟସ ଠାରୁ ଜ୍ଞାନକୌଶଳ ସମ୍ପୂର୍ଣ୍ଣ ସ୍ବଦେଶୀ । ତେବେ ବିଶ୍ବ ସ୍ତରରେ ଓଡିଶାର ଅଦ୍ଭୁଦପୂର୍ବ ଯୋଗଦାନ ନେଇ ଉତ୍ସାହିତ ଏହି କୁନି ବୈଜ୍ଞାନିକଙ୍କ ଟିମ
ପରବର୍ତ୍ତୀ ଚନ୍ଦ୍ର ଅଭିଯାନ ପାଇଁ ନାସା ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କ ଠାରୁ ମଗେଇଥିଲା ଭିନ୍ନ ଭିନ୍ନ ମଡେଲ । 19 ବର୍ଷରୁ କମ ବୟସ ବର୍ଗର ଏହି ପ୍ରତିଯୋଗୀତାରେ ସମଗ୍ର ବିଶ୍ବର 87 ଦେଶ ଭିତରେ ବାଜିମାତ ମାରିଛି ଓଡିଶା । ଏହି ପ୍ରୋଜେକ୍ଟ ଆସନ୍ତା ଏପ୍ରିଲ 15 ରେ ନାସା ଯିବ । ତେବେ ଏସବୁ ସ୍ବତନ୍ତ୍ରତା ଭିତରେ ଖାସ କଥା କି ଏହି ଟିମରେ ସାମିଲ ଅଛନ୍ତି ବାପାଙ୍କୁ ସାଇକେଲ ଦୋକାନରେ ସାହାଯ୍ୟ କରୁଥିବା ମୟୂରଭଞ୍ଜର ଛାତ୍ର କୈଳାସ ଚନ୍ଦ୍ର ବାରିକ ଏବଂ ପରିବାର ଆର୍ଥିକ ବୋଝ ବୋହିବା ପାଇଁ ରାଜଧାନୀ ରାସ୍ତାକଡର ୱେଲ୍ଡିଂ ଦୋକାନରେ କାମ କରୁଥିବା ଜଣେ ଛାତ୍ରୀ ...।
ଓଡିଆ ଛାତ୍ରଛାତ୍ରୀଙ୍କ ନାସା ଯାତ୍ରା ସଫଳତା ପାଇବା ସହ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବ ବୋଲି ରହିଛି ସମସ୍ତଙ୍କ ଆଶା ।
କଟକରୁ ପ୍ରଭୁ କଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ