ନିଆଳି: ସ୍ବେଚ୍ଛାସେବୀ ସଙ୍ଗଠନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ତହସିଲ ସମ୍ମୁଖରେ ଆମରଣ ଅନଶନ । ନିଆଳି ଥାନା ଅନ୍ତର୍ଗତ ଦ୍ବିପାଞ୍ଚଳକୁ ବିଭିନ୍ନ ସମୟରେ ରାଜ୍ୟ ସରକାର ଅବହେଳା କରୁଥିବା ପ୍ରତିବାଦରେ ଏହି ଆମରଣ ଅନଶନ କରିଛି ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ।
କଟକ ଜିଲ୍ଲା ନିଆଳି ଥାନା ଦ୍ବିପାଞ୍ଚଳକୁ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାର ଏବଂ ପ୍ରଶାସନିକ ସ୍ତରରେ ଅବହେଳା ଏବଂ ଦାୟିତ୍ବହୀନତାକୁ ନେଇ ବିଭିନ୍ନ ସମୟରେ ପ୍ରତିବାଦ ସ୍ବର ଉଠିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନିକଟ ଅତୀତରେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ ନୂତନ ଥାନା ଓ ଫାଣ୍ତି ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି । ମାତ୍ର ନିଆଳି ଦ୍ବିପାଞ୍ଚଳକୁ ଉପେକ୍ଷା କରାଯିବା ଘଟଣାକୁ ଅଞ୍ଚଳବାସୀ ସହଜେ ଗ୍ରହଣ କରୁନାହାନ୍ତି ।
ତେବେ ୧୪ ଦଫା ଦାବି ନେଇ ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ପକ୍ଷରୁ ନିଆଳି ତହସିଲ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି । ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟର ଅଧ୍ୟକ୍ଷ ସନ୍ତୋଷ କୁମାର ଓଝା, ପ୍ରସନ୍ନ ପାତ୍ର, କାର୍ଯ୍ୟକାରୀ ସଭାପତି ବିଶ୍ବମ୍ବର ସେନାପତି, ଉପସଭାପତି ଲଲାଟେନ୍ଦୁ ସାହୁ, ବୁଦ୍ଧିଜୀବୀ ହଂସନାଥ ସାହୁ ଏହି ଆମରଣ ଅନଶନରେ ବସିଛନ୍ତି ।
ଇଟିଭି ଭାରତ, ନିଆଳି