କଟକ: ପୁରୀ ହାଜତ ମୃତ୍ୟୁ ମାମଲା ନେଇ ହାଇକୋର୍ଟରେ ଶୁଣାଣି । ଏହି ଘଟଣାରେ ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି କୋର୍ଟ। ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି କି ନାହିଁ, ମାଜିଷ୍ଟ୍ରେଟ ତଦନ୍ତ ଅଗ୍ରଗତି କଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।
ଏପରିକି ସରକାରଙ୍କ ଯୁକ୍ତି ବିଶ୍ବାସଜନକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ପୋଷ୍ଟମର୍ଟମ ଓ ମାଜିଷ୍ଟ୍ରେଟ ତଦନ୍ତ ରିପୋର୍ଟ, ମେଡ଼ିକାଲ ରିପୋର୍ଟ ଓ ଆକ୍ସନ ଟେକେନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ସେତିକି ନୁହେଁ, ତଦନ୍ତର ସଠିକ ଦିଗରେ ଅଗ୍ରଗତି ହେଉଛି କି ନାହିଁ ଅନୁଧ୍ୟାନ ପାଇଁ ହାଇକୋର୍ଟ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଜାନୁଆରୀ ୧୧କୁ ଧାର୍ଯ୍ୟ କରାଯାଇଛି ।
ସୂଚନାଯୋଗ୍ୟ, ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଗତ ଡିସେମ୍ବର ୧୪ରେ ଏହି ମାମଲାର ଶୁଣାଣି ହୋଇଥିବାବେଳେ ପୁରୀ ଏସପି କନୌର ଭିଶାଲ ସିଂଙ୍କ ପକ୍ଷରୁ ତଦନ୍ତର ଅଗ୍ରଗତି ନେଇ ଏକ ସତ୍ୟପାଠ ଦାଖଲ କରାଯାଇଥିଲା।
ଏନଏଚଆରସି ଗାଇଡ଼ଲାଇନ ଅନୁଯାୟୀ, ତଦନ୍ତ ଜାରି ରହିଥିବା ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ପୁରୀ ଏସପି। ଉଭୟ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଘଟଣା ଆସିଛି। ଏନଏଚଆରସିରେ ଏନେଇ ମାମଲା ରୁଜୁ ହୋଇଥିବାବେଳେ ଘଟଣାସ୍ଥଳ ପରିଦର୍ଶନ କରି ଏସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସି ନିଯୁକ୍ତ ଇଷ୍ଟଜୋନ ସ୍ବତନ୍ତ୍ର ଅଧିକାରୀ ଅବସରପ୍ରାପ୍ତ ଆଇଏଏସ ଅଫିସର ବିନୋଦ ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପୁରୀ ଏସପି ଏନେଇ ଜିଲ୍ଲା ଦୌରାଜଜଙ୍କୁ ଜଣାଇଥିବାବେଳେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ପୁରୀ ଜେଏମଏଫସି ଘଟଣାର ତଦନ୍ତ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରାଯାଇଥିବା କଥା ମଧ୍ୟ ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।
ସୂଚନାଯୋଗ୍ୟ, ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ ।
ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ