କଟକ: ଜନସାଧାରଣଙ୍କୁ ନିଜ ଘର ନିକଟରେ କୋଭିଡ ଟୀକାକରଣ ସହ ବୟସ୍କ ଓ ଭିନ୍ନକ୍ଷମଙ୍କ ଘରେ ପହଞ୍ଚି ଟୀକାକରଣ କରାଇବାକୁ ପ୍ରାର୍ଥନା କରି ଆଗତ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। ରାଜ୍ୟରେ କେତେ ଜରାଶ୍ରମ ରହିଛି, ସେଠାରେ କେତେ ଅନ୍ତେବାସୀ ରହୁଛନ୍ତି ଓ ଜରାଶ୍ରମ ଗୁଡିକରେ ଟୀକାକରଣର ସ୍ଥିତି କଣ, ସେ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ। ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ଟୀକାକରଣର ସ୍ଥିତି କଣ ସେ ସମ୍ପର୍କରେ ଏକ ସତ୍ୟପାଠ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଛି । ତେବେ ଏହି ସତ୍ୟପାଠରେ ସବିଶେଷ ତଥ୍ୟ ନଥିବାରୁ ସାନି ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଅକ୍ଟୋବର ୭ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଟୀକାକରଣର ସ୍ଥିତି କଣ ଟୀକାକରଣକୁ କିଭଳି ତ୍ବରାନ୍ବିତ କରାଯାଇ ପାରିବ, ସେ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୪ ତାରିଖ ପୂର୍ବରୁ ରାଜ୍ୟ ସରକାରଙ୍କ ଏହି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।
ଅନ୍ୟପଟେ ରାଜ୍ୟରେ କୋଭିଡ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠର ତଥ୍ୟରେ ତାଳମେଳ ରହୁ ନଥିବା କୋର୍ଟ ଅନୁଭବ କରିଛନ୍ତି। କୋଭିଡ ମୃତ୍ୟୁ ନେଇ ସରକାର ଦାଖଲ କରିଥିବା ସତ୍ୟପାଠରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ସାନି ସଦ୍ୟ ସତ୍ୟପାଠ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ମୃତ୍ୟୁ ତଥ୍ୟକୁ ନେଇ ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ମାମଲା ରୁଜ୍ଜୁ ହୋଇଥିବା ବେଳେ ସେହି ମାମଲାକୁ ହାଇକୋର୍ଟ ଖାରଜ କରି ଦିଆଯାଇଥିଲା । ଏବଂ ସେଥିରେ ଆସିଥିବା ଅଭିଯୋଗ ଫର୍ଦ୍ଦକୁ ଅନ୍ୟ ମାମଲା ସହ ମିଶାଇ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ କୋଭିଡ ଟୀକାକରଣ ସମ୍ପର୍କିତ ମାମଲା ରୁଜୁ କରିଛନ୍ତି ହାଇକୋର୍ଟର ଆଇନଜୀବୀ ସୋହନ ମିଶ୍ର।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ