କଟକ: ଓଲିଉଡ କାଷ୍ଟିଂ କାଉଚ ମାମଲା ପରେ ଏବେ ପୁଣି ଇଣ୍ଡଷ୍ଟ୍ରିରୁ ସାମ୍ନାକୁ ଆସିଛି ଆଉ ଏକ ଅଭିଯୋଗ । ବଲିଉଡର ପ୍ରତିଷ୍ଠିତ ଗାୟକ ସୌରିନ ଭଟ୍ଟ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଓଡ଼ିଶାର ଜଣେ ଯୁବତୀ । ସୌରିନ ଭଟ୍ଟଙ୍କ ନାଁରେ କଟକ ମହିଳା ଥାନାରେ ଯୁବତୀ ଜଣକ ମାମଲା ରୁଜୁ କରିଛନ୍ତି । ସୌରିନ, ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି ।
ସୌରିନ ଜଣେ ଲୋକପ୍ରିୟ ଗାୟକ । ଯିଏ ବଲିଉଡ ଏବଂ ଓଲିଉଡରେ ଅନେକ ଗୀତ ଗାଇ ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ନାଁରେ ଏବେ ସଙ୍ଗୀନ ଅଭିଯୋଗ ଆସିଛି । ଆଜି କଟକ ମହିଳା ଥାନାରେ ଯୁବତୀ ଜଣକ ପହଞ୍ଚି କଣ୍ଠଶିଳ୍ପୀଙ୍କ ନାଁରେ ଅଭିଯୋଗ କରିଛନ୍ତି । କଣ୍ଠଶିଳ୍ପୀ ଯୁବତୀଙ୍କୁ ଶାରିରୀକ ନିର୍ଯାତନା ଦେବା ସହ ତାଙ୍କ ଠାରୁ ୯ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ ।
ଅଭିଯୋଗ କରିଥିବା ଯୁବତୀ ଜଣକ ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ । ସୂଚନା ଅନୁଯାୟୀ ଯୁବତୀ ଜଣକ ବ୍ୟାଙ୍କରେ କାମ କରିବା ସହ ଗୀତ ଗାଇବାର ନିଶା ରହିଥିଲା । ଏହାସହ ଯୁବତୀ ଜଣକ ସୌରିନଙ୍କର ଫ୍ୟାନ ମଧ୍ୟ ଅଟନ୍ତି । ଏକ ଷ୍ଟେଜର ଗୀତ ଗାଇବା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ଉଭୟଙ୍କ ମଧ୍ୟରେ ଏତେ ଘନିଷ୍ଠତା ବଢି ଯାଇଥିଲା ଯେ ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହୋଇଥିଲେ । ମାତ୍ର ସୌରିନ ବିବାହ କରିବାକୁ ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ୯ ଲକ୍ଷଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ଯୁବତୀ । ତେବେ ଉକ୍ତ ଟଙ୍କା ଯୁବତୀ ଜଣକ ଆକାଉଣ୍ଟରେ ଦେଇଥିବା କହିଛନ୍ତି । ଏନେଇ ସେ ସମସ୍ତ କାରବାର ପ୍ରମାଣ ସହ ଥାନାରେ ଦାଖଲ କରିଛନ୍ତି । ତେବେ ମହିଳା ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସେପଟେ ଗତକାଲି ଯୁବତୀ ଜଣକ କଟକ ଜଗତପୁର ଥାନାରେ ଏତଲା ଦେବା ପାଇଁ ଯାଇଥିଲେ ମାତ୍ର ଜଗତପୁର ଥାନା ପୋଲିସ ମହିଳା ଥାନାରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଥିଲେ ।
ସୂଚନା ଥାଉ କି, ନିକଟରେ ପ୍ରଯୋଜକ ସଞ୍ଜୟ ନାୟକ ବା ଟୁଟୁ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଟୁଟୁ ନାୟକ ଫିଲ୍ମରେ ଅଭିନେତ୍ରୀମାନଙ୍କୁ କାମ ଦେବାର ପ୍ରଲୋଭନ ଦେଖାଇ ଶୋଷଣ କରୁଥିବା ଅଭିଯୋଗ କରିଥିଲେ। ଏହାପରେ ଅନେକ ଏଲିଉଡ ଅଭିନେତ୍ରୀ ତାଙ୍କୁ ସମର୍ଥନ ଜଣାଇ ପ୍ରତିକ୍ରିୟା ଦେଇଥିଲେ । ପରେ ଟୁଟୁ ନାୟକ ମୁହଁ ଖୋଲିଥିଲେ ଏବଂ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଥିଲେ । ପ୍ରକୃତି ପ୍ରତିଶୋଧ ନେବା ପାଇଁ ଏଭଳି କରିଥିବା କହିଥିଲେ ପ୍ରଯୋଜକ। ଏବଂ ବିନା ପ୍ରମାଣରେ ଯେଉଁମାନେ ତାଙ୍କ ନାଁରେ ଅଭିଯୋଗ ଆଣିଥିବା ନେଇ ସେମାନଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା କରିବେ ବୋଲି ଏକ ପ୍ରେସମିଟରେ ସୂଚନା ଦେଇଥିଲେ ।
ଏହା ପରେ ମୁମ୍ବାଇରେ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମାମଲା ରୁଜୁ କରିଥିଲେ। ଟୁଟୁ ନାୟକଙ୍କ ନାଁରେ ମାନହାନୀ ମକଦ୍ଦମା କରିଥିଲେ ପ୍ରକୃତି । ମୁମ୍ବାଇ ପୋଲିସ ନିକଟରେ କାଷ୍ଟିଙ୍ଗ କାଉଚ ଅଭିଯୋଗ ଘଟଣାକୁ ଆଧାର କରି ମାନହାନୀ ମକଦ୍ଦମା କରିଥିଲେ ପ୍ରକୃତି। ମୁମ୍ବାଇର ଦାଦା ଭାଇ ନାରୋଜି ନଗର ପୋଲିସ ଷ୍ଟେସନରେ ମାମଲା ଦେଇଛନ୍ତି । ଦଫା ୫୦୦, ୫୦୪ ଓ ୫୦୬ ରେ ମାମଲା ରୁଜୁ କରି ତଦନ୍ତ କରୁଛି ମୁମ୍ବାଇ ପୋଲିସ ।
ଇଟିଭି ଭାରତ, କଟକ