କଟକ: ହାତରେ ଆଉ ମାତ୍ର ଦୁଇ ଦିନ । ଦୁଇ ଦିନ ପରେ ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୩ । ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଚାଲିଛି ଯୋରଦାର ପ୍ରସ୍ତୁତି । ଏନେଇ ଇଂରାଜୀ ନବବର୍ଷକୁ ସ୍ବାଗତ କରିବା ପାଇଁ କଟକ ସହର ଆରମ୍ଭ ହୋଇଛି ସାଜ୍ଜସଜା । କାରଣ ଆଉ ମଝିରେ ମାତ୍ର ଗୋଟିଏ ଦିନର ଅପେକ୍ଷା । ସହରର ବିଭିନ୍ନ କ୍ଲବ, ହୋଟେଲ୍, ରେଷ୍ଟୁରାଣ୍ଟ ଗୁଡିକ ନବବର୍ଷ ଉତ୍ସବ ପାଳନ ତଥା ଜିରୋ ନାଇଡ ସେଲିବ୍ରେସନ ନେଇ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ, ସୁରକ୍ଷା ଦୃଷ୍ଟିକୋଣରୁ ଅଣ୍ଟା ଭିଡିଲାଣି କମିଶନରେଟ ପୋଲିସ ।
ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କଟକ ସହରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ନୂଆବର୍ଷକୁ ବେଶ ଧୁମଧାମରେ ସ୍ବାଗତ କରିବାକୁ ସହରବାସୀଙ୍କ ସହିତ ପ୍ରସ୍ତୁତ ହେଲେଣି ବିଭିନ୍ନ କ୍ଲବ, ହୋଟେଲ ଓ ପବ୍ । ବିଶେଷ କରି ସହରର କଟକ କ୍ଲବ, ଓ.ସି.ଏ ଓ ୟୁନିୟନ କ୍ଲବ ଆଦିରେ ଦେଖିବାକୁ ମିଳିବ ଯୋରଦାର ସେଲିବ୍ରେସନ୍ । ୩୧ ତାରିଖ ରାତିରେ ମଞ୍ଚ ଦୁଲୁକାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବେ ଡ୍ରାନ୍ସ ଟ୍ରୁପ ଓ ଗାୟକ ଗାୟିକା । ସେହିପରି ହୋଟେଲ୍ ଗୁଡିକ ମଧ୍ୟ ସୁସ୍ବାଦୁ ଖାଦ୍ୟ ବ୍ୟଞ୍ଜନର ପସରା ମେଲାଇବାକୁ ପ୍ରସ୍ତୁତ ହେଲେଣି । ତେବେ ନିଜନିଜ ସଦସ୍ୟମାନଙ୍କୁ ମନୋରଞ୍ଜନର ଉପଯୁକ୍ତ ଖୋରାକ ଯୋଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି କ୍ଲବ କର୍ମକର୍ତ୍ତା ।
ଏହା ମଧ୍ୟ ପଢ଼ନ୍ତୁ....ଜିରୋ ନାଇଟ ସେଲିବ୍ରେସନ: ହୋଟେଲ ଓ ବାର୍କୁ କଡ଼ା ନିର୍ଦେଶ, ଆସିଲା ଗାଇଡ୍ଲାଇନ୍
ଅନ୍ୟପକ୍ଷେ ସହରରେ ହେବାକୁ ଥିବା ଜିରୋ ନାଇଟ ସେଲିବ୍ରେସନକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କଟକ କମିଶନରେଟ ପୋଲିସ । ଯେପରି ରାତି ୧୦ ଟା ପରେ ସର୍ବାସାଧାରଣ ସ୍ଥାନରେ ଡାକବାଜି ଯନ୍ତ୍ରର ବ୍ୟବହାର କରାନଯିବ ଏହା ଉପରେ ସ୍ବତନ୍ତ୍ର ଭାବେ ନଜର ରଖିବ ପୋଲିସ । ଏହା ବ୍ୟତିତ ୩୧ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରରେ ପାଟ୍ରୋଲିଂକୁ ଯୋରଦାର କରାଯିବ ବୋଲି କହିଛନ୍ତି କଟକ ଡିସିପି । ସେହିପରି ଯେଉଁ ଅଞ୍ଚଳରେ ସେମିବ୍ରେନ କରାଯିବ ସେହି ଅଞ୍ଚଳରେ ପୋଲିସର କଡ଼ା ପ୍ରହରା ରହିବ । ଜିରୋ ନାଇଟ ସେଲିବ୍ରସନ ସମୟରେ ଯେପିରି କିଛି ବିଶୃଙ୍ଖଳିତ ପରିସ୍ଥିତି ନଉପୁଜେ, ସେଥିପ୍ରତି ଗୁରୁତ୍ବ ଦେବ ପୋଲିସ । ଏହାସହ ବିଦ୍ୟାଳୟ, ଚିକିତ୍ସାଳୟ, ଧାର୍ମିକ ଅନୁଷ୍ଠାନ ଆଦି ସାଇଲେନ୍ସ ଜୋନ୍ କିମ୍ବା ସମ୍ବେଦନଶୀଳ ସ୍ଥାନ ଗୁଡିକରେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଜାରି କରିଛି ପୋଲିସ ।
ଇଟିଭି ଭାରତ, କଟକ