ନିଆଳି: ସରକାରଙ୍କ ଉନ୍ନତି ପଛର ନଗ୍ନ ଚିତ୍ର । ବର୍ଷା ପାଣିରେ ଉବୁଟୁବୁ ହେଉଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଉରାଡ ପଞ୍ଚାୟତ ସରକାରୀ କୂଳମଣିକୁଣ୍ତା ପ୍ରାଥମିକ ବିଦ୍ୟାଳୟ ।ଏହି ବିଦ୍ୟାଳୟ ୧୯୮୭ ମସିହାରେ ନିର୍ମାଣ ହୋଇଥିଲା। ଏଠାରେ ପ୍ରଥମରୁ ୫ ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠ ପଢନ୍ତି । ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନେଇ ଚାଲିଛି କୂଳମଣିକୁଣ୍ତା ପ୍ରାଥମିକ ବିଦ୍ୟାଳୟ। ହେଲେ ଗତକାଲି ଅସରାଏ ବର୍ଷାରେ ବିଦ୍ୟାଳୟ ପରିସରରେ ଲହଡି ମାରୁଛି ବର୍ଷା ପାଣି। ଫଳରେ ପାଠ ପଢା ଠପ ।
ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ରାଜ୍ୟ ସରକାର ନାରା ଦେଉଥିବା ବେଳେ ଅସରାଏ ବର୍ଷାରେ ଭାସୁଛି ସରକାରୀ ବିଦ୍ୟାଳୟ। ବର୍ଷା ପାଣି ବିଦ୍ୟାଳୟରେ ପଶିବା ଫଳରେ ପାଠ ପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି। ବିଦ୍ୟାଳୟ ପରିସରରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଏପରି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। ଶିକ୍ଷା ବ୍ୟବସ୍ଥା ପାଇଁ ଭିର୍ତ୍ତି ଭୂମି ସଜାଡ଼ିବା ଠାରୁ ଆରମ୍ଭ କରି ବିଦ୍ୟାଳୟ ଢାଞ୍ଚା ବଦଳୁଛି କିନ୍ତୁ ୩୬ ବର୍ଷ ତଳର ସରକାରୀ ବିଦ୍ୟାଳୟରେ ପରିସରରେ ଲହଡି ମାରୁଛି ବର୍ଷା ପାଣି। ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଅଭିଭାବକ, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଶିକ୍ଷକ।
ଅନ୍ୟପଟେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ 37 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଅଛନ୍ତି। ବାରମ୍ବାର ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।
ଏହା ମଧ୍ୟ ପଢନ୍ତୁ- କଳାହାଣ୍ଡିରେ ବର୍ଷା ବିତ୍ପାତ: ଘରେ ଲହଡି ଭାଙ୍ଗୁଛି ପାଣି, ସ୍କୁଲରେ ଆଶ୍ରୟ ନେଲେ ଲୋକେ
ପ୍ରକାଶ ଥାଉକି, କିଛି ଦିନ ପୂର୍ବେ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଘର ଭିତରେ ପାଣି ଲହଡି ଭାଙ୍ଗୁଥିଲା । ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚ ପାଣି ଚାଲୁଥିବାରୁ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ରହିଥିଲେ। ବିଶେଷ କରି ଭବାନୀପାଟଣା ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ସହରରେ ୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲେ। ବିଭିନ୍ନ ସ୍ଥାନରେ ୧୦ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଘରେ ପାଣି ପଶି ଯାଇଥିଲା । ପ୍ରାୟ ୩୦ ପରିବାରକୁ ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା ।
ଇଟିଭି ଭାରତ, ନିଆଳି