କଟକ: କେନ୍ଦ୍ରାପଡାର ଘଟଣା କଟକରେ ପୁନରାବୃତ୍ତି । ପୁଣି ଝିଅ ବଞ୍ଚି ଥାଉ ଥାଉ ଶୁଦ୍ଧିକ୍ରିୟା କଲେ ବାପା ମାଆ । ନିଜ ଇଚ୍ଛାରେ ପ୍ରେମିକ ସହ ଚାଲିଯିବାରୁ ବଞ୍ଚି ଥାଉ ଥାଉ ଶୁଦ୍ଧି ହୋଇଛନ୍ତି ପରିବାର ଲୋକେ । ନିକଟ ଅତୀତରେ କେନ୍ଦ୍ରାପଡାରେ ଘଟିଥିବା ଘଟଣା ପରେ ଏବେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗ୍ରାମରୁ ଆସିଛି ଏପରି ଖବର ।
ଉମର ଗ୍ରାମର ବିଶ୍ୱଜିତ ମହାପାତ୍ରଙ୍କ ଏକମାତ୍ର କନ୍ୟା ୧୮ବର୍ଷୀୟ ପାୟଲ ମହାପାତ୍ର ଉମର ଗ୍ରାମର କାଶୀନାଥ ବେହେରାଙ୍କ ପୁଅ ଆକାଶ ଚନ୍ଦ୍ର ବେହେରାଙ୍କ ସହ ପ୍ରେମ କରି ପଳାଇ ଯାଇଥିଲେ । ଏନେଇ ପାୟଲଙ୍କ ପରିବାର ଲୋକେ ଝିଅର ଜୀବିତ ଅବସ୍ଥାରେ ଏକାଦଶ ଓ ଦ୍ଵାଦଶ କର୍ମ କରିଛନ୍ତି l ଏପରିକି ପାୟଲଙ୍କ ବାପା ବିଶ୍ୱଜିତ ମହାପାତ୍ର ମୁଣ୍ଡନ ହୋଇ ଝିଅର ସମସ୍ତ କର୍ମ କରିଛନ୍ତି । ଏହାଛଡ଼ା ଯଥାନୀତି ଅନୁସାରେ ବ୍ରାହ୍ମଣ ଭୋଜନ ସହ ଗ୍ରାମବାସୀଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା ।
ସୂଚନା ମୁତାବକ, ନଭେମ୍ବର ୧ ତାରିଖରୁ ନିଖୋଜ ହୋଇଯାଇଥିଲେ ପାୟଲ । ଏହାପରେ ପାୟଲଙ୍କ ବାପା ବିଶ୍ବଜିତ ମହାପାତ୍ର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପାୟଲ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିଲା । ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକ ପାୟଲଙ୍କର ଶୁଦ୍ଧିକ୍ରିୟା କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ପ୍ରେମ କରି ପାପ କରି ଦେଲା ଝିଅ ! ଜିିଇଁ ଥାଉଥାଉ ପିଣ୍ଡ ଦେଇଦେଲେ ପରିବାର ଲୋକେ
ଏନେଇ ପାୟଲଙ୍କ ବାପା କହିଛନ୍ତି ଯେ, "ଯଦି କୌଣସି ଝିଅ ନିଜ ପରିବାର ସହିତ ନ ରୁହେ ତେବେ ସେ କାହା ସହିତ ବି ରହିପାରିବନି । ମୁଁ ଏଭଳି ନିଷ୍ପତ୍ତି ଏଥିପାଇଁ ନେଇଛି କି ଅନ୍ୟ ପରିବାରରେ କୌଣସି ଝିଅ ହେଉ କି ପୁଅ ଏଭଳି ଭୁଲ କରିବେ ନାହିଁ" । ସେହିପରି ଅନ୍ୟପଟେ ପୁରୋହିତ ଆନନ୍ଦ ପ୍ରସାଦ କହିଛନ୍ତି, "ଝିଅ ଜୀବିତ ଥିବାରୁ ପରିବାର ଲୋକେ ସେଥିପାଇଁ ଶୁଦ୍ଧକ୍ରିୟା ନୁହେଁ 'ତ୍ୟାଗି ଶୁଦ୍ଧି' କରିଛନ୍ତି । ଏହାର ଅର୍ଥ ପରିବାର ଲୋକେ ତାଙ୍କୁ ସବୁଦିନ ପାଇଁ ତ୍ୟାଗ କରିଛନ୍ତି । ତ୍ୟାଗର ଏକାଦଶାହରେ ପରିବାର ଲୋକେ ତ୍ୟାଗ ହୋମ ଓ କର୍ମ କରିଥିଲେ । ସମ୍ପର୍କୀୟ ଏବଂ ଗ୍ରାମବାସୀଙ୍କ ପାଇଁ ଭୋଜନର ବ୍ୟବସ୍ଥା ମଧ୍ୟ ହୋଇଥିଲା । "
ଇଟିଭି ଭାରତ, କଟକ