ନିଆଳି: ନିଆଳିରେ ଧରାପଡୁନି ଅଜଣା ଜନ୍ତୁ । ମେଣ୍ଢା ଶିକାର କରୁଥିବା ଅଜଣା ଜନ୍ତୁ ଆତଙ୍କକୁ ନେଇ ଚେତିଲା ଫୁଲନଖରା ବନ ବିଭାଗ। ଏହାକୁ ଠାବ କରିବା ଲାଗି ମେଷ ପାଳକ ଗୁହାଳରେ ଲାଗିଲା 4ଟି ଟ୍ରାପ କ୍ୟାମେରା । ଏଥିସହ ବନବିଭାଗର ଏସିଏଫ ଅନନ୍ତ ପ୍ରଧାନ, ଫୁଲନଖର ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଗୋପାଳପୁର ଫରେଷ୍ଟର ଶ୍ରୀକାନ୍ତ ବେହେରା, ଫୁଲନଖରା ସୂର୍ଯ୍ୟକାନ୍ତ ସାହୁ, ନିଆଳି ଫରେଷ୍ଟର ଧନେଶ୍ୱର ସାହୁ ଏବଂ ଫରେଷ୍ଟର ଗ୍ରାଉଣ୍ଡ ସୁଜାତା ନାୟକ ପ୍ରମୁଖ ନାହାଳପୁର ଗୁଣାଦୋଳ ଏବଂ ଆଖପାଖ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମେଷ ପାଳକଙ୍କ ଆଲୋଚନା କରିଛନ୍ତି ।
ତେବେ ଗତ 6 ବର୍ଷ ତଳେ ଯେପରି ଅଜଣା ଜନ୍ତୁ ମେଣ୍ଢାମାନଙ୍କୁ ଆକ୍ରମଣ କରିଥିଲା ଏବେ ସେପରି ପୁଣି ମେଣ୍ଢାକୁ ଆକ୍ରମଣ କରୁଛି ଅଜଣା ଜନ୍ତୁ । କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ପଞ୍ଚାୟତର ଗୁଣାଦୋଳ ଠାକୁର ପୋଖରୀ ସାହିରେ ଚଳିତ ମାସ ୧୦ ଓ ୧୩ ତାରିଖ ବିଳମ୍ବିତ ରାତିରେ ଦୁଇ ଜଣ ମେଷ ପାଳନଙ୍କ ଗୁହାଳରୁ ୨୯ ମେଣ୍ଢାଙ୍କ ଜୀବନ ନେଇ ସାରିଛି ଅଜଣା ଜନ୍ତୁ । ଫଳରେ ଏବେ ନିଆଳି, କଣ୍ଟାପଡ଼ା କଟକ ସଦର,ବାରଙ୍ଗ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ସେହିପରି ବନ ବିଭାଗ ଓ ସ୍ଥାନୀୟ ମେଷ ପାଳକ ସଜାଗ ରହିବା ପାଇଁ ଆଲୋଚନା ହୋଇଥିଲା । ସେପଟେ ଚାରୋଟି ଗୁହାଳରେ ଅଜଣା ଜନ୍ତୁଙ୍କ ଗତିବିଧି ଠାବ ପାଇଁ ଗୁହାଳରେ ଗତକାଲି ବନବିଭାଗ ଟ୍ରାପ କ୍ୟାମେରା ଲଗାଇଛି । ଏନେଇ ଗତ ପାଞ୍ଚ ଦିନ ମଧ୍ୟରେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମେଷ ପାଳକ ମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଠାରୁ ଯେଉଁ ଟ୍ରାପ କ୍ୟାମେରା ବନବିଭାଗ ଲଗାଇଥିଲେ ଆଜି କ୍ୟାମେରା ଚେକ୍ କରାଯିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ମେଣ୍ଢାଙ୍କ ପେଟ ଓ ବେକରେ ଆଘାତ ଲାଗିବା ସହିତ ପେଟରୁ ଅନ୍ତପୋଜଳା ବାହାରକୁ ବାହାରି ଆସୁଥିବା ଲକ୍ଷ୍ୟ କରାଯାଉଛି ।
ପ୍ରକାଶ ଥାଉକି, କଟକ ଜିଲ୍ଲା ନିଆଳି କଣ୍ଟପଡା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଠାକୁର ପୋଖରୀ ସାହିରେ ଅଜଣା ଜନ୍ତୁର ଭୟାବହତା ସୃଷ୍ଟି ହୋଇଛି । ଅଜଣା ଜନ୍ତୁ ଆକ୍ରମଣରେ ଚାରି ଦିନ ଭିତରେ ଏଠାରେ ୨୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 13ତାରିଖରେ କେବଳ ଜଣଙ୍କର ୯ଟି ମେଣ୍ଢା ମରିଥିବା ଜଣାପଡିଛି । ପୋଖରୀ ସାହିର ଗୋକୁଳନାନ୍ଦ ଚୌଧୁରୀ ନାମକ ବ୍ୟକ୍ତିଙ୍କ ଗୁହାଳରେ ପଶି ୯ଟି ମେଣ୍ଢା ମାରିଥିଲା ଅଜଣା ଜନ୍ତୁ । ସେହିପରି ଏହି ଗ୍ରାମର ବାବାଜୀ ଚୌଧୁରୀଙ୍କ ୨୦ଟି ମେଣ୍ଢା ଅଜଣା ଜନ୍ତୁ ଆକ୍ରମଣରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ତେବେ ରାତିରେ ଗୁହାଳରେ ପଶି କିଏ ମେଣ୍ଢାମାନଙ୍କୁ ମାରୁଛି ତାହା ଜଣାପଡି ନ ଥିବା ବେଳେ ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି । ତେବେ ଏପରି ଭାବେ ମେଣ୍ଢା ମରିବା ଘଟଣା ମେଣ୍ଢା ଚାଷୀଙ୍କୁ ଚିନ୍ତାରେ ପକାଇଛି ।
ଇଟିଭି ଭାରତ, ନିଆଳି