ନିଆଳି: ଦେବୀନଦୀରେ ବନ୍ୟା ଯୋଗୁଁ ଉଜୁଡ଼ି ଯାଇଛି ଚାଷଜମି । ବନ୍ୟାର ବିଭୀଷିକା ଧୋଇନେଲା ପରିବା ଚାଷୀଙ୍କ ସୁନାର ଫସଲ (flood impact on crop field in Niali) । କଟକ ଜିଲ୍ଲା ନିଆଳି ବ୍ଲକର ରାଣୀଓଳା ପଞ୍ଚାୟତ ବିଭିନ୍ନ ଗାଁରେ ଥିବା ଧାନଜମି ଏବଂ ପନିପରିବା ଚାଷ ସମେତ ପାନ ବରଜ କ୍ଷତିଗ୍ରସ୍ତ ହୋଇଛି । ଫଳରେ ପ୍ରଶାସନକୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଚାଷୀ ଏବଂ ସରପଞ୍ଚ ।
ରାଣୀଓଳା ପଞ୍ଚାୟତରେ ହେକ୍ଟର ହେକ୍ଟର ଚାଷଜମି ଜମି ଏକ ସପ୍ତାହ ହେବ ପାଣି ଘେରରେ ରହିବା କାରଣରୁ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ରାଣୀଓଳା ଅଞ୍ଚଳର ଲୋକମାନେ କେବଳ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ଚଳିତ ବର୍ଷ ବନ୍ୟାପାଣି ଯୋଗୁଁ ଚାଷ ଉଜୁଡି ଯାଇଛି । ଫଳରେ ପ୍ରଭାବିତ ହୋଇଛନ୍ତି ହଜାରହଜାର ଚାଷୀ ପରିବାର।ଏଥିପାଇଁ ରାଣୀଓଳା ପଞ୍ଚାୟତର ସରପଞ୍ଚ ତ୍ରିନାଥ ମହାନ୍ତି ଓ ଚାଷୀ କ୍ଷତିପୂରଣ ଦାବି କରିଛନ୍ତି।
ଏନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି, "ଦେବୀ ନଦୀର ପାଣିଆସି ଅନେକ ଚାଷଜମି ନଷ୍ଟ ହୋଇଛି । ଚାଷଜମି ରୁଆ ହେବା ପରେ ପାଣି ଆସିବାରୁ ବହୁ କ୍ଷତି ହୋଇଛି । ଏନେଇ ନିଆଳିର ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସହ ଆଲୋଚନା କରିଛୁ । ତହସିଲଦାର ଏବଂ ବିଡିଓ ଆମ ପଞ୍ଚାୟତକୁ ଆସିବେ । ସ୍ଥିତି ଅନୁଧ୍ୟାନ ପରେ କ୍ଷୟକ୍ଷତି ନେଇ ଆକଳନ ହେବ ।"
ଇଟିଭି ଭାରତ, ନିଆଳି