କଟକ: ଗତ ୨୦୧୬ ମସିହାରେ କଟକ ଚାଉଳିଆଗଞ୍ଜ ଠାରେ ଘଟିଥିବା ବାପି ଓରଫ ହୀରାମଣି ପାତ୍ର ହତ୍ୟା ମାମଲାର ଶୁଣାଣି କରି କଟକ ତୃତୀୟ ଅତିରିକ୍ତ ଦୌରାଜଜ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତମାନେ ହେଲେ ଚାଉଳିଆଗଞ୍ଜ ଅଞ୍ଚଳର ବୁନୁ ଓରଫ ମଙ୍ଗଳ ଜ୍ୟୋତି ସାହୁ, ପପୁନା ଓରଫ ନିଶାକାର ବେହେରା, ଅପର୍ଣ୍ଣାନଗରର ବାପୁନା ଓରଫ ସଞ୍ଜୁଆ ଦଳାଇ, ଚାଉଳିଆଗଞ୍ଜର କାହ୍ନୁ ଓରଫ କାହ୍ନା ନାୟକ, ଚୌଦ୍ବାର ଓଟିଏମ ଲେବର କଲୋନିର ଧନୁ ଓରଫ ଧନଞ୍ଜୟ ରାଉଳ ।
ଆଇପିସିର ଦଫା ୩୦୨/୧୨୦-ଖ/୩୬୪/୨୦୧/୩୪ରେ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ ଜେଲ୍ ଓ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଜରିମାନା ଅନାଦେୟ ଆସାମୀମାନଙ୍କୁ ଅଧିକ ୧ ବର୍ଷ ଜେଲଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି । ୨୦୧୬ ମସିହା ମାର୍ଚ୍ଚ ୧୭ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସେହି ଦିନ ରାତି ପ୍ରାୟ ୮ଟା ସମୟରେ ଚାଉଳିଆଗଞ୍ଜ ଶ୍ରୀକ୍ଷେତ୍ର ମଣ୍ଡପ ନିକଟକୁ ବାପି ଚା' ପିଇବାକୁ ଯାଇଥିବା ବେଳେ ଅସାମୀମାନେ ତାକୁ ଅପହରଣ କରି ନେଇଥିଲେ ।
ଏହାମଧ୍ୟ ପଢନ୍ତୁ: ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ଶରତ ନାୟକ ଓ ପିଇଟି ଶିକ୍ଷକ ଗିରଫ
ଆସାମୀମାନେ ଦୁଇଟି ମୋଟର ସାଇକେଲ ଯୋଗେ ଆସି ବାପିଙ୍କୁ କୁଞ୍ଜବିାହାର ସ୍କୁଲ ପାଖ ତାଳଦଣ୍ଡା କେନାଲ ଲାଞ୍ଜିକୁଳ ଘାଟକୁ ନେଇଥିଲେ । ସେଠାରେ ବାପିଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏହାପରେ ତାଙ୍କ ମୁଣ୍ଡକୁ ପଥରେ ଛେଚି ହତ୍ୟା କରିଥିଲେ । ତାଳଦଣ୍ଡ କେନାଲରେ ସେତେବେଳେ କମ୍ ପାଣିଥିଲା । ଏହି ସୁଯୋଗରେ କେନାଲ ଭିତର ଦେଇ ବାପିଙ୍କ ମୃତଦେହକୁ ଅପରପାର୍ଶ୍ବକୁ ନେଇଥିଲେ । ସେଠାରୁ ଏକ ଫୋର୍ଡ ଆଇକନ କାରର ଡିକିରେ ଚୌଦ୍ବାର ନେଇ ସେଠାରେ ଓଟିଏମ କଲୋନୀ ପାଖ ବୋଧି ପଡ଼ିଆରେ କୋଇଲା ଛାଇ ଓ କ୍ରୋମଗୁଣ୍ଡରେ ପୋତି ଦେଇଥିଲେ । ମାର୍ଚ୍ଚ ୧୮ରେ ଚାଉଳିଆଗଞ୍ଜ ଥାନାରେ ଏନେଇ ଏତଲା ଦାୟର ହୋଇଥିଲା ।
ପୋଲିସ ଅଭିଯୁକ୍ତଙ୍କୁ ୨୦୧୬, ମାର୍ଚ୍ଚ ୧୯ରେ ଗିରଫ କରିଥିଲା । ତଦନ୍ତ ପରେ ପୋଲିସ ଉପରୋକ୍ତ ୫ଜଣ ଆସାମୀଙ୍କ ସହିତ ଜଣେ ନାବାଳକଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା । ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ୨୧ ଜଣ ଓ ଡିଫେନ୍ସ ପକ୍ଷରୁ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।
ଇଟିଭି ଭାରତ, କଟକ