କଟକ: ରାତି ପାହିଲେ ଦେଶ 72ତମ ଗଣତାନ୍ତ୍ରିକ ଦିବସ ପାଳନ କରିବାକୁ ଯାଉଛି । ତେବେ ରାଜ୍ୟ ଓ ଜିଲ୍ଲାସ୍ତରରେ ମଧ୍ୟ ଏହି ଦିବସ ପାଳନ ହେବାକୁ ଯାଉଛି । ତେବେ କଟକ ଜିଲ୍ଲାରେ ପାଳନ ହେବାକୁ ଥିବା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେବେ ବୋଲି ଜଣାପଡିଛି ।
ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଉତ୍ସବ ପରେଡରେ ଅର୍ଥମନ୍ତ୍ରୀ ଅଭିବାଦନ ମଧ୍ୟ ଗ୍ରହଣ କରିବେ । ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏହି ଉତ୍ସବରେ ହେବାକୁ ଥିବା ପରେଡରେ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯିବ ନାହିଁ ।
କେବଳ ପୋଲିସ ବ୍ୟାଣ୍ଡ ସହିତ ଓଏସଏପି ଏବଂ ହୋମଗାର୍ଡ ହିଁ ପରେଡରେ ଅଂଶ ଗ୍ରହଣ କରିବେ । ତେବେ ଏହି କାର୍ଯ୍ୟକ୍ରମ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା 'ଗୁଡ ବାଏ କୋଭିଡ' ନାମକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେବେ । ତେବେ ଏଥିଲାଗି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ