କଟକ: କଟକ ପୀଠାପୁରରୁ ଏକ ବ୍ରାଣ୍ଡେଡ କମ୍ପାନୀର ନକଲି ଅଣ୍ଡରଗାର୍ମେଣ୍ଟସ୍ ବା ଅନ୍ତବସ୍ତ୍ର ଜବତ । ଏକ ନାମିଦାମୀ କମ୍ପାନୀର ନକଲି ଅଣ୍ଡରଗାର୍ମେଣ୍ଟସ୍ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ବାଦାମବାଡ଼ି ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରି ଏହାକୁ ଜବତ କରିଛି । ଏଥିରେ ଜଣେ ବେପାରୀକୁ ଅଟକ କରାଯାଇଛି । ଅଟକ ବେପାରୀ ଜଣକ କଟକର ବୋଲି ସୂଚନା ରହିଛି । ପାଖାପାଖି ୫୦ ହଜାର ଟଙ୍କାର ଅନ୍ତବସ୍ତ୍ର ଜବତ କରାଯାଇଛି ।
ସୂଚନା ମୁତାବକ, କଟକ ପୀଠାପୁରରୁ ଏକ ଦୋକାନରେ ଦୀର୍ଘ ଦିନ ଧରି ବ୍ରାଣ୍ଡେଡ କମ୍ପାନୀର ନକଲି ଅଣ୍ଡରଗାର୍ମେଣ୍ଟସ୍ ବା ଅନ୍ତବସ୍ତ୍ର ବିକ୍ରି ହୋଇ ଆସୁଥିଲା । ତେବେ ଏହି ବ୍ରାଣ୍ଡେଡ କମ୍ପାନୀର ନକଲି ଅଣ୍ଡରଗାର୍ମେଣ୍ଟସ୍ ବିକ୍ରି କରାଯାଉଥିବା ନେଇ ଫେକ ପ୍ରଡକ୍ଟ ଯାଞ୍ଚ ଟିମର ଅଭିଯୋଗ ପରେ ଦୋକାନରେ ଚଢାଉ କରି ବିପୁଳ ପରିମାଣର ନକଲି ଅଣ୍ଡରଗାର୍ମେଣ୍ଟସ୍ ଜବତ କରିଛି ବାଦାମବାଡ଼ି ଥାନା ପୋଲିସ ।
ତେବେ ଦୀର୍ଘ ଦିନ ଧରି ଏଭଳି ନକଲି ଅନ୍ତବସ୍ତ୍ର ବିକ୍ରି ହେଉଛି ବୋଲି କମ୍ପାନୀ ପୂର୍ବରୁ ସୂଚନା ପାଇଥିଲା । ଆଉ ଏହାପରେ ସେ ତଦାରଖ କରୁଥିଲ । ଉପଯୁକ୍ତ ପ୍ରମାଣ ପାଇବା ପରେ ସେ କଟକ DCPଙ୍କ ସହ ଆଲୋଚନା କରି ଏହି ଘଟଣା ବାବଦରେ ଜଣାଇଥିଲେ । ଏନେଇ ପୋଲିସ ଏକ ଟିମ୍ ଗଠନ କରି ଉକ୍ତ ଦୋକାନ ଉପରେ ଚଢାଉ କରି ନକଲିମାଲ ଗୁଡ଼ିକୁ ଜବତ୍ କରିବା ସହ ଜଣଙ୍କୁ ଥାନାରେ ଅଟକ ରଖିଛି । ତେବେ ଏହି ସାମଗ୍ରୀ ଗୁଡ଼ିକ ଆଉ କେଉଁ କେଉଁ ଜାଗାକୁ ଯାଉଥିଲା ଏବଂ ଏହି ନକଲି ପ୍ରଡକ୍ଟ ବିକ୍ରି ଘଟଣାରେ ଆଉ କେଉଁ ନାଁ ରହିଛି ତାହା ପୋଲିସ ଯାଞ୍ଚ କରୁଥିବା ସୂଚନା ମିଳିଛି।
ଏହା ମଧ୍ୟ ପଢନ୍ତୁ- Duplicate Spice Processing Factory: ପୁଣି ନକଲି ମସଲା କାରଖାନା ଠାବ, ବ୍ୟବସାୟ ଗିରଫ
ପ୍ରକାଶ ଥାଉକି, ସେହିପରି ଗତ ମାସରେ କଟକରେ ମାଲଗୋଦାମରୁ ନକଲି ମସଲା ଠାବ ହୋଇଥିଲା । 20 କୁଇଣ୍ଟାଲର ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିକ୍ସ ମସଲା ଇତ୍ୟାଦି ଠାବ ହୋଇଥିଲା । ଏନେଇ ଖବର ପାଇ ମାଲଗୋଦାମ ଥାନା ପୋଲିସ ଓ ସିଏମସି ଫୁଡ଼ ସ୍କ୍ୱାର୍ଡ଼ ଚଢାଉ କରିଥିଲା । ପାଖାପାଖି ୬ ବର୍ଷ ହେବ ଏହି ନକଲି ମସଲା ଗୁଣ୍ଡ କମ୍ପାନୀ ଚାଲିଥିଲା । ବିଭିନ୍ନ ମସଲାରେ ଚାଉଳ ଗୁଣ୍ଡ ଓ ରାସାୟନିକ ରଙ୍ଗ ମିଶ୍ରଣ କରି ଏହି ନକଲି ମସଲା ଗୁଣ୍ଡକୁ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ । ଏହା ସହ ବେସନରେ ମଧ୍ୟ ଅପମିଶ୍ରଣ କରି ବଜାରରେ ବିକ୍ରି କରାଯାଉଥିଲା । ପୋଲିସ ଓ ସିଏମସି ଫୁଡ଼ ସ୍କ୍ୱାର୍ଡ଼ ଚଢ଼ାଉ କରି ବିପୁଳ ପରିମାଣର ନକଲି ମସଲା ଗୁଣ୍ଡକୁ ଜବତ କରିବା ସହ କମ୍ପାନୀକୁ ସିଲ କରିଥିଲା ।
ଇଟିଭି ଭାରତ, କଟକ