କଟକ: ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କ ରଣ ହୁଙ୍କାର । ନିଜର ନାର୍ଯ୍ୟ ଦାବି ପୂରଣ ପାଇଁ ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରିବେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାନୀୟ ଜଳ ଯୋଗାଣ କର୍ମଚାରୀ । ଏନେଇ ଆଜି ସାମ୍ବାଦିକ ସମ୍ମେଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ସିଧସଳଖ ଚେତାବନୀ ଦିଆଯାଇଛି । ପାନୀୟ ଯୋଗାଣ କର୍ମଚାରୀଙ୍କ ଦାବିକୁ କେହି କର୍ଣ୍ଣପାତ କରୁନାହାଁନ୍ତି ବୋଲି ଅଭିଯୋଗ ହୋଇଛି ।
ଦୀର୍ଘ ଦିନ ହେବ ସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀକୁ ପୂରଣ କରିବା, ଦୈନିକ ମଜୁରୀ ପ୍ରଦାନ କରିବା ଆଦି ସମସ୍ୟା ଗୁଡ଼ିକୁ ସରକାର କୌଣସି କର୍ଣ୍ଣପାତ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି କରିଥିବା ବେଳେ ପାନୀୟ ଜଳ ଯୋଗାଣ କର୍ମଚାରୀମାନଙ୍କ କ୍ଷେତ୍ରରେ ଏପରି ଅବହେଳା କାହିଁକି ହେଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଯାହାକୁ ବିରୋଧ କରି ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରାବେ ବୋଲି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାନୀୟ ଜଳ ଯୋଗାଣ କର୍ମଚାରୀମାନେ କହିଛନ୍ତି । ଯଦି ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପି ଜଳ ଯୋଗାଣ ସେବା ଠପ୍ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।
ସାମ୍ବାଦିକ ସମ୍ମେଳନୀରେ ହିନ୍ଦ୍ ମଜ୍ଦୁର ସଙ୍ଗଠନ ରାଜ୍ୟ ସଭାପତି ବିଭୁତି ଭୂଷଣ ପତି କହିଛନ୍ତି,"ଓଡିଶା ପାଇପ ଯୋଗାଣ ସଂଘ ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜଳ ଯୋଗାଣରେ କାମ କରୁଥିବା କର୍ମାଚାରୀମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦିଆଯାଉ । ଯେଉଁମାନେ ଗ୍ରାମାଞ୍ଚଳରେ ଜଣ ଯୋଗାଣ କ୍ଷେତ୍ରରେ ନିଯୁକ୍ତି ଅଛନ୍ତି ସେମାନଙ୍କୁ ଦୈନିକ ମଜୁରୀ ପ୍ରଦାନ କରାଯାଉ । ରାଜ୍ୟ ସରକାର ଠିକା ନିଯୁକ୍ତି ଉଠାଇ ଦେଇଛନ୍ତି । ତେଣୁ ସଂଘ ତରଫରୁ ଦାବି ରହିଛି କି ରାଜ୍ୟ ସରକାର ଜଳ ଯୋଗାଣର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରନ୍ତୁ । ଦାବି ପୂରଣ ନ ହେଲେ ଆସନ୍ତା ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରାଯିବ ।"
ଇଟିଭି ଭାରତ, କଟକ