ନିଆଳି: ଆଗ୍ରହ ଥିଲେ ସବୁ ସମ୍ଭବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଆଗଧାଡିର ସାହିତ୍ୟିକ, ଲେଖକ, ଗବେଷକ ଓ ସ୍ତମ୍ଭକାର ଡକ୍ଟର ତ୍ରିନାଥ ପଟ୍ଟନାୟକ । ସେ କଟକ ଜିଲ୍ଲା ନିଆଳି ବ୍ଳକର ଆଲୋକ ନଗରରେ ରୁହନ୍ତି । ବୟସ ୭୦ ବର୍ଷ । ୧୯ ବର୍ଷ ବୟସରୁ ସାହିତ୍ୟ ଓ ଲେଖାଲେଖି ପ୍ରତି ଥିଲା ତାଙ୍କର ଅହେତୁକ ପ୍ରେମ । ଏଯାବତ ୧୫୦ରୁ ଅଧିକ ବହି ଲେଖି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସେ । ୧୯୭୦ ମସିହାରୁ ଲେଖାଲେଖି ସେ ଆରମ୍ଭ କରିଥିଲେ । ମାଙ୍କ ପ୍ରେରଣାରେ ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ତପଶ୍ୟା କାବ୍ୟ ଲେଖି ପାଠକଙ୍କ ନଜରକୁ ଆସିଥିଲେ ସୁଦ୍ଧା ସେତେଟା ପ୍ରଭାବ ବିସ୍ତାର କରିପାରିନଥିଲେ । କିନ୍ତୁ କଥାରେ ଅଛି, ଆଗ୍ରହ ଓ ଇଛା ଥିଲେ ଶିଖରରେ ପହଞ୍ଚିବା ଅତି ସହଜ । ୧୯୭୫ରେ ଲଳିତ ବସନ୍ତ ଅଭିଳାଷ କବିତା ବହି ଲେଖି ରାତାରାତି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଉକ୍ତ ବହିଟି ଲାଇବ୍ରେରୀ କଂଗ୍ରେସ ଅଫ ଆମେରିକାରେ ସେତେବେଳେ ସ୍ଥାନ ପାଇଥିଲା। ଆଉ ସେବେଠୁ ପଛକୁ ଫେରି ନାହାନ୍ତି ଡଃ ତ୍ରିନାଥ ପଟ୍ଟନାୟକ। ଇତି ମଧ୍ୟରେ ୧୫୦ ରୁ ଅଧିକ ବହି ଲେଖି ସାରିଛନ୍ତି। ସେ ହେଉଛନ୍ତି ସ୍ବଗତଃ ଭାଗବତ ଓ ମା ପାର୍ବତୀଙ୍କ ସାନ ପୁଅ ତ୍ରିନାଥ ।
୧୯୭୬ ମସିହାରୁ ଡଃ ପଟ୍ଟନାୟକ ରାଜ୍ଯ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ସମ୍ପ୍ବନ୍ଧିତ, ସମ୍ମାନିତ ହୋଇଛନ୍ତି । ତେବେ ଡଃ ପଟ୍ଟନାୟକ କେବଳ ସାହିତ୍ୟ କ୍ଷେତ୍ରରେ ନିଜକୁ ସୀମିତ ରଖି ନାହାଁନ୍ତି ବରଂ ସେ ଭଲ ସ୍ତମ୍ଭକାର ଏବଂ ପ୍ରାଚୀ ଉପତ୍ୟକାର ଗବେଷକ ମଧ୍ୟ। ଏଭଳି ବ୍ୟକ୍ତିତ୍ଵ କଟକ ଜିଲ୍ଲା ନିଆଳି ମାଟି ପାଇଁ ଗର୍ବିତ ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ