କଟକ: କୋରୋନା ଯୋଗୁଁ ସାରା ବିଶ୍ବର ଭୁଷୁଡି ପଡିଛି ଅର୍ଥନୀତି । ମହାମାରୀ କୋରୋନା ଭୂତାଣୁ ଭୟରେ ଭାରତରେ 2ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲକଡାଉନ ରହିବା କାରଣରୁ ବେରୋଜଗାର ବଢିବା ସହ ଆର୍ଥିକ କାରବାର ଉପରେ ମଧ୍ୟ ଅନେକ ପ୍ରଭାବ ପଡିଛି । ମାତ୍ର ଏବେ ଲକଡାଉନ 5.0 ବା ଅନଲକ-1 ପ୍ରଥମ ପର୍ଯ୍ୟାୟରେ ଲକଡାଉନ କଟକଣା କୋହଳ ହୋଇଥିଲେ ମଧ୍ୟ ଜିମ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର କରାଯାଇନାହିଁ । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଜିମ ବ୍ୟବସାୟୀ ।
ଅନେକ ଶିଳ୍ପ ସଂସ୍ଥା, ଛୋଟ ବଡ ବ୍ୟବସାୟ ସବୁ ବନ୍ଦ ଥିବାବେଳେ କେନ୍ଦ୍ର ସରକାର ଭାରତର ଅର୍ଥନୀତି ସୁଧାରିବାକୁ 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ଅନ୍ୟପଟେ ସରକାର ଅନେକ ଦିଗପ୍ରତି ସହଯୋଗର ହାତ ବଢାଇ ଅନେକ ସଂସ୍ଥା ପାଇଁ ବିନା ସୁଧରେ ମଧ୍ୟ ଋଣ ଦିଆଯିବାର ବ୍ୟବସ୍ଥା କରିଛନ୍ତି । ହେଲେ ଏବେ ସୁଦ୍ଧା ଜିମ ଖୋଲିବା ନେଇ କୌଣସି ଆସ୍ଥା ପ୍ରକଟ କରିନାହାନ୍ତି।
ଯାହାକୁ ନେଇ ହତାଶ ହୋଇପଡିଛନ୍ତି ଜିମ ବ୍ୟବସାୟୀମାନେ । ଏହି କ୍ଷେତ୍ରରେ ସରକାର ଶୀଘ୍ର କୌଣସି ନିଷ୍ପତି ନେବା ସହ ସରକାରୀ ସହାୟତା ପାଇଁ ମଧ୍ୟ ଦାବି କରିଛନ୍ତି ରାଜ୍ୟ ଜିମ ସଂଘର ସଭାପତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ