କଟକ: ସମୟ ବଦଳିବା ସହ ବଦଳୁଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଂଜ୍ଞା । ତ୍ୱରାନ୍ୱିତ ହେଉଛି ବିକାଶର ଦିଗ । ଯାହା ପାଇଁ ଅନ୍ତର୍ଜାତୀୟ ସ୍ଥରରେ ଭାରତ ବର୍ତ୍ତମାନ ଅର୍ଜନ କରିଛି ଅନେକ ସୁନାମ । ଯାହା କୌଣସି ବିକଶିତ ରାଷ୍ଟ୍ରଠାରୁ କମ ନୁହେଁ । ତେବେ ଏହି ତମାମ ସଫଳତା ପଛରେ ମୁଖ୍ୟ ଆଧାର ସାଜିଛି ଯୁବ ଦକ୍ଷତା । ଏହି ଦକ୍ଷତା ବିକାଶରେ ଓଡ଼ିଶା ଏକ ନୂଆ ସୋପାନରେ ପାଦ ଥାପିଛି । ବିଶ୍ୱ ସ୍ତରରେ ଦକ୍ଷତା ପ୍ରତିପାଦନ କରି ନିଜର ପ୍ରମାଣ ଦେଇଥିବା କଟକ ଖପୁରିଆ ଆଇଟିଆଇରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ଏବେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ।
ଅଟୋ ମୋବାଇଲ କ୍ଷେତ୍ରରେ କଟକ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀମାନେ ଏବେ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛନ୍ତି । ଅତ୍ୟାଧୁନିକ ମଡେଲ ଗାଡିର ସମସ୍ୟାର ସମାଧାନ କରିବାକୁ ଛାତ୍ରଛାତ୍ରୀମାନେ ବାଟ କାଢିଛନ୍ତି । ଏଥିପାଇଁ ଦୁଇଟି ଲ୍ୟାବରେ ପ୍ରଶିକ୍ଷଣ ନେଉଛନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥା ସହାୟତାରେ ଛାତ୍ରଛାତ୍ରୀମାନେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା BS-6 ମଡେଲର ଗାଡି ଓ ଏଲେକ୍ଟ୍ରିକ ଗାଡିର ମରାମତି କରିବା ସହ ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ ।
ବର୍ତ୍ତମାନ ସମୟରେ BS-6 ମଡେଲ ଗାଡିର ବହୁଳ ବ୍ୟବହାର ସହିତ ବୈଦ୍ୟୁତିକ ଯାନର ବ୍ୟବହାର ଆରମ୍ଭ ହୋଇଛି । ଯାହାଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହିତ ହୁହୁ ହୋଇ ବଢୁଥିବା ପେଟ୍ରୋଲ ଦରରୁ ମଧ୍ୟ ନିସ୍ତାର ମିଳିବ । ତେବେ ଦାମୀ ଗାଡିର ରକ୍ଷଣାବେକ୍ଷଣ ପାଇଁ କଟକ ଖପୁରିଆ ଆଇଟିଆଇ ଛାତ୍ରଛାତ୍ରୀ ଯେଉଁ ନୂତନ ଗବେଷଣା ଆରମ୍ଭ କରିଛନ୍ତି ତାହା ବେଶ ପ୍ରଶଂସନୀୟ । ଯାହା ଶିଖିବା ପାଇଁ ଜଣେ ମେକାନିକକୁ 10 ବର୍ଷ ଲାଗିଥାଏ । କିନ୍ତୁ ତାହା କିଛି ବର୍ଷ ମଧ୍ୟରେ ଛାତ୍ରଛାତ୍ରୀ ଶିଖିପାରିବେ । ଏନେଇ ପ୍ରତିଷ୍ଠାନର ଦୁଇଟି ଲ୍ୟାବରେ ମରାମତି ପ୍ରଶିକ୍ଷଣ ଆରମ୍ଭ ହୋଇଛି ।
ଇଟିଭି ଭାରତ, କଟକ