କଟକ: ଟିକା ନନେଲେ କଟିବ ଫ୍ରଣ୍ଟଲାଇନ ଯୋଦ୍ଧାଙ୍କ ଦରମା । କଟକର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କୁ ଜିଲ୍ଲାପାଳଙ୍କ ଚେତାବନୀ । ଏନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖି ସୂଚନା ଦିଆଯାଇଛି । ଯଦି ଚଳିତ ମାସ 10 ତାରିଖ ସୁଦ୍ଧା ଟିକା ନନେବେ ତେବେ ଯେଉଁ ଦରମା, ଷ୍ଟାଇପେଣ୍ଡ ଇତ୍ୟାଦି ସେମାନେ ପାଉଥିଲେ, ସେସବୁ କାଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭାବନି ଶଙ୍କର ଚୟିନୀ।
ତେବେ ଦେଖା ଦେଉଛି କଟକରେ ଟିକା ନେବା ହାର କମୁଛି । ତେଣୁ ଏହାକୁ ଆଖି ଆଗରେ ରଖି ଜିଲ୍ଲାରେ କିଭଳି କୋଭିଡ ଟିକା ନେବା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ, ସେହି ଲକ୍ଷ୍ୟରେ ଜିଲ୍ଲାପାଳ ଏହି ଚରମ ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ, ଆସନ୍ତାକାଲି (ଶନିବାର) ଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ । ତିନି ସପ୍ତାହ ଧରି ଏହି ଟୀକାକରଣ ଚାଲିବ । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ଟିକା ନେବେ । ଏହାଛଡା ଗୃହ, ନଗର ଉନ୍ନୟନ ଓ ରାଜସ୍ବ ବିଭାଗର ଅଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ