କଟକ: ଚଳିତବର୍ଷ ମୌସୁମୀ ପ୍ରବାହରେ ଜଳବନ୍ଦୀ ହେବେନି କଟକବାସୀ । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଛୋଟ ବଡ଼ ନାଳକୁ କରାଯାଉଛି ସଫେଇ । ଏଠାରେ ଯେପରି ବର୍ଷା ଜଳ ଠୁଳ ନହୋଇ ସିଧାସଳଖ ନାଳ ସାହାଯ୍ୟରେ ପ୍ରବାହିତ ହେବ ସେନେଇ କରାଯାଇଛି ସମସ୍ତ ବ୍ୟବସ୍ଥା । ଯାହାଦ୍ବାରା ସିଲଭର ସିଟିରେ ଉପୁଜିବନି ଜଳବନ୍ଦୀ ସମସ୍ୟା ବୋଲି କହିଛନ୍ତି ନବ ନିର୍ବାଚିତ ବିଧାୟକ ମହମ୍ମଦ ମୁକିମ ।
ସିଏମସିରେ ଆଜି (ମଙ୍ଗଳବାର) ଅନୁଷ୍ଠିତ ବୈଠକରେ ଏପରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଧାୟକ ମୁକିମ । ବିଶେଷ କରି ସହରରେ ଅନେକ ତଳିଆ ଅଞ୍ଚଳ ରହିଛି ଯେଉଁଠି ଜଳବନ୍ଦୀ ଏକ ପ୍ରକାର ନିଶ୍ଚିତ ବୋଲି ସ୍ଥିର ହୋଇଥାଏ । କିନ୍ତୁ ଚଳିତ ବର୍ଷ ଯେପରି କଟକ ସହର ଜଳବନ୍ଦୀର ଶିକାର ନହୁଏ ସେ ଦିଗରେ ନିଆଯାଇଛି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ସହରର ତମାମ ତଳିଆ ଅଞ୍ଚଳରେ ଭଲଭୋ ପମ୍ପର ବ୍ୟବସ୍ଥା କରି ଜଳ ନିଷ୍କାସନ କରାଯିବ । ଯାହାଦ୍ବାରା ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେନି ।
ଏହାସହିତ କିପରି ସମ୍ପୂର୍ଣ୍ଣ ସହରର ଉନ୍ନତି ହେବ ସେ ଦିଗରେ ମଧ୍ୟ ବିଭିନ୍ନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ମୁକିମ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେଉଁଭଳି ଭାବେ ସହରର କୋଣ ଅନୁକୋଣରେ ଅଳିଆ ଆବର୍ଜନା ପଡିବା ବୃଦ୍ଧି ପାଉଛି ସେ ଦିଗରେ ମଧ୍ୟ ସିଏମସି ଖୁବଶୀଘ୍ର ଆକ୍ସନ ନେବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୁକିମ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ