କଟକ: ଜୟ ଜୟ ଦେବୀ ମାଗୋ ଜୟ କଟକ ଚଣ୍ଡୀ କଣ୍ଠେ ଧଣ୍ଡାମାଳ ଯେ ସିନ୍ଦୂର ମୁଖେ ମଣ୍ଡି, ମାଗୋ ଜୟ କଟକ ଚଣ୍ଡୀ । ପୁରାଣ ବର୍ଣ୍ଣିତ ସେହି ଶକ୍ତି ସ୍ବରୂପିଣୀ ମା'ଙ୍କ ଅନେକ ଜୟଗାନ ରହିଛି । ଓଡିଶାର ପ୍ରମୁଖ ଶକ୍ତି ପୀଠ ମଧ୍ୟରୁ କଟକ ଚଣ୍ଡୀଙ୍କ ପୀଠ ଅନ୍ୟତମ । ଖାଲି କଟକିଆ ନୁହେଁ, କାହିଁ କେଉଁ ଆଡୁ ପ୍ରତିଦିନ ଏଠାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ଦେବୀ ଚଣ୍ଡୀଙ୍କ ଏହି ମନ୍ଦିରକୁ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି ।
ମରହଟ୍ଟା ଶାସନ କାଳରେ କଟକ ଚଣ୍ଡୀଙ୍କ ବିଗ୍ରହ ବାରବାଟୀ ଦୁର୍ଗ ପରିସରରେ ପୂଜା ପାଉଥିଲା । କଳାପାହାଡ଼ ଆକ୍ରମଣ କାଳରେ 1568ରେ ଦେବୀ ସେଠାରୁ ଅପସାରିତ ହୋଇ ଦୁର୍ଗର ଦକ୍ଷିଣ ପାର୍ଶ୍ବର କିଛି ଦୂରରେ ପୂଜା ପାଇଲେ । ପରବର୍ତ୍ତୀ ସମୟରେ କନିକା ରାଜାଙ୍କ ରାଜତ୍ବ ଚାଲିଥିଲା । କିମ୍ବଦନ୍ତୀ ଅନୁଯାୟୀ, କଟକ ଶେଖବଜାର ଅଞ୍ଚଳର ଗୋପାଳ ଚନ୍ଦ୍ର ବେହେରା ନାମକ ବାସିନ୍ଦା ବାରବାଟୀ ଦୁର୍ଗର ଏକ ପଥର ଗଦା ଉପରେ ବସିଥିଲେ । ହଠାତ୍ ପଥର ଗଦାଟି ଥରିବାକୁ ଲାଗିଲା । ସ୍ବୟଂ ମା' ଚଣ୍ଡୀ ସେଠାରେ ଥିବା ନେଇ ସେହି ରାତିରେ ତାଙ୍କୁ ସ୍ବପ୍ନାଦେଶ ହୋଇଥିଲା । ପରଦିନ ସ୍ବପ୍ନାଦେଶ ଅନୁସାରେ ଗୋପାଳ ଚନ୍ଦ୍ର ସେହି ସ୍ଥାନରେ ପଥର ଗଦା ଖୋଳିଥିଲେ । ସେଠାରୁ ଦେବୀଙ୍କୁ ଉଦ୍ଧାର କରି ନିଜ ମସ୍ତକରେ ଧରି ଆସୁଥିବାବେଳେ ବର୍ତ୍ତମାନର ସ୍ଥାପିତ କଟକ ଚଣ୍ଡୀ ପୀଠ ପାଖରେ ଏହା ଭାରି ହୋଇଯାଇଥିଲା । ଫଳରେ ସେହି ଠାରେ ହିଁ ସେ ମା' କଟକ ଚଣ୍ଡୀଙ୍କୁ ସ୍ଥାପନ କରିଥିଲେ । ସେହିଦିନ ଠାରୁ ଦେବୀ ଚଣ୍ଡୀ ମା' କଟକ ଚଣ୍ଡୀ ନାମରେ ସେଠାରେ ପୂଜା ପାଇ ଆସୁଛନ୍ତି ।
ପ୍ରତିଦିନ ମା' କଟକ ଚଣ୍ଡୀଙ୍କୁ ପଞ୍ଚ ଉପଚାରରେ ପୂଜାର୍ଚ୍ଚନା କରାଯାଏ । କିନ୍ତୁ ଦଶହରା ସମୟରେ ମା'ଙ୍କୁ ଷୋହଳ ଦିନ ଓ ଚୈତ୍ର ମାସ ବଡପୂଜା ସମୟରେ ନଅ ଦିନ ଧରି ମା'ଙ୍କୁ ଷୋଡଶ ପୂଜା ଉପଚାରରେ ପୂଜା କରାଯାଏ । ଏବେ ଦଶହରା ପାଇଁ ଢୋଲ, ଘଣ୍ଟଘଣ୍ଟା ଓ ଶଙ୍ଖରେ କମ୍ପୁଛି ମା' ଙ୍କ ପୀଠ । ହୋମଯଜ୍ଞ ସହ ଚାଲିଛି ବେଦ ମନ୍ତ୍ରପାଠ । ଦଶହରା ପାଇଁ ପ୍ରସିଦ୍ଧ କଟକ ସହରରେ ଏବର୍ଷ ପ୍ରସ୍ତୁତି ଜୋରସୋର ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ ମନ ମୋହୁଛି ମା' ପୀଠରେ ହୋଇଥିବା ରଙ୍ଗବେରଙ୍ଗ ଫୁଲର ସାଜସଜ୍ଜା ।
ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାରୁ ମା’ କଟକ ଚଣ୍ଡୀ ମନ୍ଦିରକୁ ଫୁଲରେ ଆଚ୍ଛାଦିତ କରାଯାଇଛି । ଏଥିପାଇଁ କଟକର କେତେକ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି । କୃତ୍ରିମ ଫୁଲ ଓ ଫଳରେ ସମ୍ପୂର୍ଣ୍ଣ ମନ୍ଦିରକୁ ସଜାଯାଇଥିବାବେଳେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଏଥିପାଇଁ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି । ପୁରୀ ଶ୍ରୀମନ୍ଦିରକୁ ଅନୁସରଣ କରି ଏଭଳି ସାଜସଜ୍ଜା କରାଯାଇଥିବା ସୂଚନା ମିଳିଛି ।
ଏହି ଷୋଡଶ ପୂଜା ସମୟରେ ମା’ କଟକ ଚଣ୍ଡୀଙ୍କୁ ସୁନାବେଶ, ଭୁବନେଶ୍ୱରୀ, ମାତଙ୍ଗୀ, ବୈଷ୍ଣବୀ, ସିଦ୍ଧେଶ୍ୱରୀ, ଉଗ୍ରତାରା, ତ୍ରିପୁରାଭୈରବୀ, ଜଗଦ୍ଧାତ୍ରୀ, ଷୋଡ଼ଶୀ, ସିଂହବାହିନୀ, ହରଚଣ୍ଡୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ମହିଷାମର୍ଦ୍ଦିନୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ପୀଠରେ ଅଷ୍ଟମୀ ତିଥିରେ ମା’ଙ୍କ ପାଖରେ ବଳି ଭୋଗ ହୋଇଥାଏ । ଜୀବବଳି ଦିଆନଗଲେ ମଧ୍ୟ ପାଣିକଖାରୁ, ବୁଢ଼ା କାକୁଡ଼ି ଆଦି ବଳି ଦିଆଯାଇଥାଏ ।
ଷୋହଳ ଦିନ ଧରି ଚାଲିବାକୁ ଥିବା ମା'ଙ୍କର ଶାରଦୀୟ ପୂଜା ପାଇଁ ପ୍ରତିଦିନ ଷୋଡଶ ଉପଚାରରେ ପୂଜା ପାଉଛନ୍ତି ମା' କଟକ ଚଣ୍ଡୀ । ଏନେଇ ପ୍ରତିଦିନ ସକାଳୁ ମା’ଙ୍କର ସୁନା ବେଶ ପରେ ଆରମ୍ଭ ହୁଏ ପାରମ୍ପରିକ ପୂଜା ବିଧି । ପରମ୍ପରା ଅନୁଯାୟୀ ଦଶହରା ଓ ଚୈତ୍ର ମାସରେ ବଡ ପୂଜାରେ ଅତି ନିଷ୍ଠାର ସହ ରୁହନ୍ତି ମନ୍ଦିରର ସେବକ । ଏଥିସହ ରାଧାଷ୍ଟମୀରେ ମା' ଶୟନରେ ଯାଇ ପୁଣି ମୂଳାଷ୍ଟମୀରେ ସୁପ୍ତରୁ ଜାଗ୍ରତ ଅବସ୍ଥାକୁ ଫେରିବାର ବିଧି ରହିଛି । ଏହାପରେ ମହାନଦୀ ଗଡଗଡିଆ ଘାଟରୁ ମା'ଙ୍କ ଘଟ ଆସି ମନ୍ଦିରରେ ସହସ୍ରାକୁମ୍ଭାଭିଷେକ କରାଯାଇଛି । ଦଶମୀ ଦିନ ଏହି ଘଟକୁ ବିସର୍ଜନ କରାଯିବ ।
ରଙ୍ଗବେରଙ୍ଗ ଫୁଲର ସାଜସଜ୍ଜା ସହ ପ୍ରତିଦିନ ମା'ଙ୍କ ଭିନ୍ନ ଭିନ୍ନ ବେଶ । ଶ୍ରଦ୍ଧାଳୁଟିଏ ମା'ଙ୍କ ଆଶୀର୍ବାଦ ଟିକେ ପାଇବା ପାଇଁ କାହିଁ କେତେ ଦୂରରୁ ଆସି କହି ବସେ ମା’ଙ୍କୁ ନିଜ ମନର କଥା । ତେବେ ବିଶ୍ବାସ ରହିଛି ଦଶହରାରେ ମା' କଟକ ଚଣ୍ଡୀଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ