କଟକ: ବିଶ୍ବବ୍ୟାପି ଘାରିଛି କୋରୋନା ଭୟ । ଏହି କ୍ରମରେ ଚଳିତବର୍ଷ ସ୍ଥଗିତ ହୋଇଛି କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ବୈଶାଖୀ ବାଣିଜ୍ୟ ମେଳା । ଏହି ବାଲିଯାତ୍ରାକୁ ମିନି ବାଲିଯାତ୍ରା ବୋଲି କୁହାଯାଇଥାଏ ।
ଏପ୍ରିଲ 15 ତାରିଖରେ ଏହି ମେଳାର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଭାରତରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ମେଳାରେ ଅନେକ ରାଜ୍ୟରୁ ବ୍ୟବସାୟୀ ମାନେ ଆସିଥାନ୍ତି । 500ରୁ ଊର୍ଦ୍ଧ୍ବ ଷ୍ଟଲ ଏହି ମେଳାରେ ଦୃଶ୍ୟ ହୋଇଥାଏ । ଯାହାର ଭରପୁର ଆନନ୍ଦ ଉଠାଇଥାନ୍ତି ଜନସାଧାରଣ । କିନ୍ତୁ କୋରୋନାର ବିତ୍ପାତ ଯୋଗୁଁ ଏହି ମେଗା ଆୟୋଜନକୁ ସ୍ଥଗିତ କରାଯାଇଥିବା କହିଛନ୍ତି ଆୟୋଜକ କମିଟି ସଂଯୋଜକ ।
ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ହେବା ପରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ସଭା ସମିତିକୁ ବନ୍ଦ କରି ଦିଆଯାଇଛି । ଏହାସହ ଶନିବାର କଟକର ପ୍ରମୁଖ ସିନେମା ହଲ, ମଲ, ମଣ୍ଡପ ଇତ୍ୟାଦିକୁ ମଧ୍ୟ ବନ୍ଦ କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ