କଟକ: ଜିଲ୍ଲାରେ ଜାନୁଆରୀ 16 ତାରିଖରୁ ଜାରି ରହିଛି କୋଭିଡ଼ ଟୀକାକରଣ କାର୍ଯ୍ୟ । ତେବେ ଏପର୍ଯ୍ୟନ୍ତ ଜିଲ୍ଲାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ବୋଲି ଏସିବି ମେଡିକାଲର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଳାରେ ମୋଟ ୧୯ ହଜାର ୧୦୦ ଜଣ କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ ଲାଗି ଧାର୍ଯ୍ୟ କରାଯାଇଥିବା ବେଳେ ଅଧିକାଂଶ କେନ୍ଦ୍ରରେ ଏହା ଶତ ପ୍ରତିଶତ ଶେଷ ହୋଇଛି । ସେଥିମଧ୍ୟରୁ କଟକ ବଡ଼ ମେଡ଼ିକାଲରେ ମୋଟ ୭ ହଜାର ୭୭୧ ଜଣ ଟିକା ନେବା ପାଇଁ ଚୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ସୋମବାର ଅପରାହ୍ନ ସୁଦ୍ଧା ୫୦ ପ୍ରତିଶତ ଲୋକ ଟିକା ନେଇ ସାରିଥିବା ମେଡ଼ିକାଲ ପକ୍ଷରୁ କୁହାଯାଇଛି ।
ସେପଟେ ଏହି ଟୀକାକରଣ କାର୍ଯ୍ୟକୁ ରାଜ୍ୟ ସରକାର ଆସନ୍ତା ଫେବୃଆରୀ ମାସ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ଏହି ସମୟ ମଧ୍ୟରେ ମେଡ଼ିକାଲର ସମସ୍ତ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ତେବେ ସମସ୍ତେ କୋଭିଡ଼ ଟିକା ନେବାକୁ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପରାମର୍ଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ