କଟକ: ଜିଲ୍ଲାର ଧୀରେ ଧୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସହରର ଏକ ଆବାସିକ ଶିକ୍ଷାନୁଷ୍ଠାନରେ ଏକା ସମୟରେ 20ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ମଧ୍ୟ ଜିଲ୍ଲାରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି ।
ସୋମବାର ଜିଲ୍ଲାରେ 25 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମଧ୍ୟ ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ସୋମବାରଠାରୁ ସହରର ଆବାସିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍କ୍ରିନିଂ ଆରମ୍ଭ ହୋଇଥିବା ବେଳେ ଅନେକ ଶିକ୍ଷାନୁଷ୍ଠାନରେ ଅନ୍ତେବାସୀଙ୍କ କୋଭିଡ ପରୀକ୍ଷା ମଧ୍ୟ କରାଯାଇଛି । ତେବେ କଟକରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ସତ କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ଜିଲ୍ଲାପାଳ ।
ଏହା ମଧ୍ୟରେ ସହର ବାସିନ୍ଦାଙ୍କୁ ପୁଣି ଥରେ ସଚେତନତାର ବାର୍ତ୍ତା ଦେଇଛି କମିଶନରେଟ ପୋଲିସ । ଏହି କ୍ରମରେ ସୋମବାର ରାତିରୁ ମାଲଗୋଦାମ ପୋଲିସ ସ୍ଥାନୀୟ ଅଞ୍ଚଳରେ କୋଭିଡ ନିୟମ ପାଳନ କରିବା ପାଇଁ ଡାକ ବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଆରମ୍ଭ କରି ଲୋକମାନଙ୍କୁ ସଚେତନ କରାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ