କଟକ: ଦାଉ ସାଜିଲା ଦୁର୍ଘଟଣା । ଦୁର୍ଘଟଣାର ଶିକାର ହୋଇ ଏକ କୁଡ଼ିଆ ଭିତରେ ପଡି ରହିଛନ୍ତି କଟକ କାଠଯୋଡ଼ି ବସ୍ତିର ଦମ୍ପତି । ଦିନ ଥିଲା ହସ ଖୁସିରେ କଟୁଥିଲା ଭଉୟଙ୍କ ଜୀବନ । ହେଲେ ଗତ ମାର୍ଚ୍ଚ ମାସରେ ଦୁର୍ଘଟଣାର ଶିକାର ହେବା ପରେ ସବୁକିଛି ଛାରଖାର ହୋଇଯାଇଛି । ନା ଦି ମୁଠା ଖାଇବାକୁ ମିଳୁଛି ନା ବାହାରକୁ ଯାଇ କୌଣସି କାମ କରି ପାରୁଛନ୍ତି । ସେପଟେ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମଧ୍ୟ ମିଳିନାହିଁ ।
କଟକ କାଠଯୋଡି ବସ୍ତିରେ ରୁହନ୍ତି କୈଳାସ ନାୟକ ଓ ବନିତା ନାୟକ । ସ୍ବାମୀ ହୋଟେଲେ ଓ ସ୍ତ୍ରୀ ଅନ୍ୟ ଘରେ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ଆରମରେ ଘର ଚଳୁଥିଲା । ହେଲେ ମାର୍ଚ୍ଚ ମାସରେ ଦୁର୍ଘଟଣାର ଶିକାର ହୋଇଥିଲେ ଦମ୍ପତି । ଦୁର୍ଘଟଣାଟି ଏମିତି ଥିଲା କି ଉଭୟଙ୍କ ଗୋଡ ହାତ ଭାଙ୍ଗି ଯାଇଥିଲା। ଉଭୟଙ୍କୁ ପ୍ରଥମେ ଅଶ୍ବିନୀ ହସପିଟାଲରେ ଭର୍ତ୍ତି କରି ଚିକିତ୍ସିତ କରାଯାଇଥିଲା । କିଛିଦିନ ପରେ ଅପରେସନ କରି ଏସସିବିକୁ ସ୍ଥାନାନ୍ତର କରାଗଲା । ମାତ୍ର ଏସସିବିରେ ବି ଠିକ ଭାବରେ ଚିକିତ୍ସା ମିଳିଲାନି । ତେବେ ସେବେ ଠାରୁ ବନ୍ଦ ହୋଇଯାଇଛି ଉଭୟଙ୍କ ରୋଜଗାର ।
ଆଉ ସେବେଠୁ ଅକାମି ହୋଇ କୁଡ଼ିଆରେ ପଡି ରହିଛନ୍ତି ଏହି ଦମ୍ପତି । ଆଶାବାଡ଼ି ବିନା ଘରୁ ବାହାରି ହେଉନାହିଁ । ଇଛା ଥିଲେ ବି ବାହାରକୁ ଯାଇ ରୋଜଗାର କରିବା ଉଭୟଙ୍କ ପାଇଁ ଏବେ ଅସମ୍ଭବ ହୋଇପଡିଛି । ଫଳରେ ଓଳିଏ ଖାଇଲେ ଦି ଓଳି ଉପାସ । ସେପଟେ ରାସନ କାର୍ଡ ନଥିବା ବେଳେ ଲକଡାଉନରେ ମିଳୁଥିବା ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଏମାନେ । ଏଭଳି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଉଭୟେ ।
କୈଳାସ ନାୟକଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ଛୋଟ ଝିଅ । ସବୁଠାରୁ ବଡ଼ କଥା ହେଉଛି ବନିତା ଏବେ ୭ ମାସର ଗର୍ଭବତୀ ଅଛନ୍ତି । ହେଲେ ଲକଡାଉନ ଯୋଗୁଁ ସରକାରୀ ସୁବିଧା ତ ଦୂରର କଥା ଖାଇବାକୁ ଗଣ୍ଡେ ମିଳୁନାହିଁ । ସେପଟେ ଏବିଷୟରେ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଇଁ ସ୍ଥାୟୀ ସମାଧାନ କରନ୍ତୁ ବୋଲି ବିଧାୟକ ଦାବି କରିଛନ୍ତି । କୌଣସି ଉପାନ୍ତ ଇଲାକା ନୁହେଁ ବରଂ ସିଲଭରସିଟିରେ ଏପରି ସ୍ଥିତି ଅତି ଚିନ୍ତାଜନକ ନିଶ୍ଚୟ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ