କଟକ : କୋରୋନା ମହାମାରୀ ଏବେ ସାରା ଭାରତରେ ତାର ଭୟାବହତା ଦେଖାଉଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋରୋନା ସଂକ୍ରମଣ ସଂଖ୍ୟା ନିୟନ୍ତ୍ରଣ ରହିଛି । ଏହି ଭାଇରସ ଭିନ୍ନ ପ୍ରକାର ହେଉଥିବାରୁ ନିର୍ଦ୍ଧିଷ୍ଟ ଆକଳନ ଲଗାଇବା ଅସମ୍ଭବ । କିନ୍ତୁ ଏହାରି ଭିତରେ ଆସିଛି ଏକ ଆଶ୍ବସ୍ତିକର ଖବର । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥଲେ ମଧ୍ୟ ଏହାର ପ୍ରଭାବ ଆଉ ପୂର୍ବ ଭଳି ନାହିଁ ବୋଲି କଟକ (ADMO)ଏଡିଏମଓ ସୂଚନା ଦେଇଛନ୍ତି ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ନିକଟରେ କୌଣସି ଗୁରୁତର ଲକ୍ଷଣ ଦେଖାଯାଉନାହିଁ । କେବଳ ଜ୍ଵର ଆଉ ଥଣ୍ଡା ଭଳି ସାଧାରଣ ଲକ୍ଷଣ ଦେଖାଯାଉଛି ଏବଂ ଅଳ୍ପଦିନ ମଧ୍ୟରେ ସେମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଟୀକାକରଣ ଯୋଗୁଁ ଏହା ନିୟନ୍ତ୍ରଣ ହେଉଥିବା ବିଶେଷଜ୍ଞ ମତ ଦେଇଛନ୍ତି ।
ବର୍ତ୍ତମାନ କଟକ ବଡ଼ ମେଡିକାଲରେ ୧୨୯ ଜଣ କୋରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୩୫ ଜଣ ଅକ୍ସିଜେନ ସପର୍ଟରେ ରହିଥିବା ବେଳେ ମାତ୍ର ୨ ଜଣ ଭେଣ୍ଟିଲେଟରରେ ଅଛନ୍ତି । ସେହିପରି ଅଶ୍ୱିନୀ ହସ୍ପିଟାଲରେ ୪ ଜଣ ଅକ୍ସିଜେନ ସପୋର୍ଟରେ ଚିକିତ୍ସିତ ହେଉଛନ୍ତି। ତେବେ ଆସନ୍ତା ଫେବୃଆରୀ ମାସ ଶେଷ ସୁଦ୍ଧା କୋରୋନା ସ୍ଥିତି କମିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ