କଟକ: ଜିଲ୍ଲାରେ ଏବେବି କୋରୋନା ସ୍ଥିତିରେ ସେତେଟା ସୁଧାର ଆସି ନ ଥିଲେ ମଧ୍ୟ ଧିରେ ଧିରେ ନିୟନ୍ତ୍ରଣାଧିନ ହେଉଛି । ଏବେ କଟକରେ କିପରି ରହିଛି କୋଭିଡର ସ୍ଥିତି, ସେ ନେଇ ଆଜି ଜିଲ୍ଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ଅନୁଧ୍ୟାନ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସିଏମସି, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହିତ ଏସସିବି, କ୍ୟାନ୍ସର ଓ କୋଭିଡ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ନେଇ ସମୀକ୍ଷା କରାଯାଇଥିଲା ।
ତେବେ ଆଜିର ବୈଠକରେ କଟକରେ ରହିଥିବା ଏସସିବି ଓ କ୍ୟାନ୍ସର ହସ୍ପିଟାଲ ଓ ଅଶ୍ବିନ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ଲାଗି କିପରି ବ୍ୟବସ୍ଥା ରହିଛି ତାହାକୁ ଅନୁଧ୍ୟାନ କରାଯାଇଥିଲା । ଏଥି ସହିତ ଜିଲ୍ଲା ତଥା ସହରରେ ଚାଲିଥିବା ଟେଷ୍ଟ ପକ୍ରିୟାରୁ ଅଧିକ ସହିତ ସିଏମସି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନର ସ୍ଥିତିକୁ ମଧ୍ୟ ଆଲୋଚନା କରାଯାଇଥିଲା । ଗତ ସପ୍ତାହ ତୁଳନାରେ ଏବେ କୋରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଥିବାରୁ ଆଗକୁ ମଧ୍ୟ ମୁକାବିଲା କିପରି ହେବ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ।
ସେହିପରି ଏସସିବି ମେଡିକାଲରେ ଟେଷ୍ଟିଂ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ସହିତ ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ମଧ୍ୟ ଯୋଜନା ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଅପରପଟେ ଜିଲ୍ଲାରେ ପ୍ରତ୍ୟେକ ଦିନ ୧୫ ଶହ ପାଖାପାଖି ପରୀକ୍ଷା କରାଯାଉଥିବାବେଳେ ସିଏମସି ଅଞ୍ଚଳରେ ଦୈନିକ ୮ ଶହ ପରୀକ୍ଷା କରାଯାଉଛି । ଏବେ ମହାନଗର ନିଗମକୁ ଆଣ୍ଟିଜେନ ମିଳିଥିବାରୁ ସାହି ସାହିରେ କ୍ୟାମ୍ପ ଆୟୋଜନ କରାଯାଇ ଏହି ଟେଷ୍ଟ ପକ୍ରିୟା କରାଯିବ ବୋଲି କହିଛନ୍ତି ସିଏମସି କମିଶନର ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ