ଜବରଦଖଲକାରୀଙ୍କ କବ୍ଜାରେ ଏସ୍ସିବି ରୋଡ୍
କଟକ: ରାଜ୍ୟର ସର୍ବବୃହତ ଚିକିତ୍ସାଳୟର ମାନ୍ୟତା ପାଇଥିବା ଏସ୍ସିବି ମେଡ଼ିକାଲକୁ ରାସ୍ତା ପାଉନାହାଁନ୍ତି ରୋଗୀ । ରାଣୀହାଟ ଛକରୁ ମେଡ଼ିକାଲକୁ ଯାଇଥିବା ରାସ୍ତା ଏବଂ ଯୋବ୍ରା ବ୍ୟାରେଜରୁ ମେଡ଼ିକାଲକୁ ସଂଯୋଗ କରୁଥିବା ଏହି ଦୁଇ ରାସ୍ତା ଏବେ ଜବରଦଖଲକାରୀଙ୍କ କବଜାରେ । ଦିନକୁ ଦିନ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ଉଠା ଦୋକାନୀ ଏବଂ ଠେଲା ଦୋକାନୀମାନେ ଏହି ରାସ୍ତାକୁ ନିଜ କବଜାକୁ ନେଇ ଗଲେଣି । ଫଳରେ ରୋଗୀଙ୍କ ଗମନାଗମନକୁ ନେଇ ସମସ୍ୟା ସୃଷ୍ଟି ହେବାରେ ଲାଗିଛି ।
ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଗଲାବେଳେ ଅନେକ ସମସ୍ୟାରେ ପଡ଼ିଥାନ୍ତି ରୋଗୀ । ଏପରିକି ରାଣୀହାଟ ଛକଠାରୁ ହେଉ କି ଯୋବ୍ରା ବ୍ୟାରେଜଠାରୁ ହେଉ, ମେଡ଼ିକାଲକୁ ଆସିବାକୁ ହେଲେ ଲାଗିଯାଉଛି ୩୦ ରୁ ୪୦ ମିନିଟ ସମୟ । ଅର୍ଥାତ ମାତ୍ର ଅଧ କିଲୋମିଟର ରାସ୍ତା ଅତିକ୍ରମ କରି ମେଡ଼ିକାଲରେ ପହଞ୍ଚିବାକୁ ଲାଗିଥାଏ ଏତେ ସମୟ । ଯଦି କୌଣସି ଗୁରୁତର ରୋଗୀ ଏହି ସ୍ଥାନ ଦେଇଯାଏ, ତେବେ ରୋଗୀ ଜଣକ ବଞ୍ଚିବା କଷ୍ଟ ହୋଇପଡ଼େ । ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଏବେ ସାଧାରଣରେ ଦାବି ହୋଇଛି ।
ତେବେ ସବୁଠାରୁ ବଡ କଥା ହେଉଛି କି ସବୁ କିଛି ଦେଖି ନ ଦେଖିଲା ପରି ହେଉଛି ପ୍ରଶାସନ । ଏନେଇ ଏସ୍ସିବି ସୁପରିଟେଣ୍ଡେଣ୍ଟ, ପ୍ରିନ୍ସପାଲ, କଟକ ମହାନଗର ନିଗମର ମେୟରଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ବିଧାୟକ । ଭେଣ୍ଡିଂ ଜୋନ ମାଧ୍ୟମରେ ଉଠା ଦୋକାନୀଙ୍କୁ ସ୍ଥାନ ଦିଆଯିବା ସହ ସମସ୍ୟାର ସମାଧାନ ପାଇଁ କଟକ ଡିସିପିଙ୍କ ସହ ଆଲୋଚନା କରାଯାଇଥିବା ମଧ୍ୟ ସେ କହିଛନ୍ତି । ତେଣୁ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ସ୍ଥାନୀୟ ବିଧାୟକ ପ୍ରଭାତ ବିଶ୍ବାଳ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ