କଟକ: ସିଲଭର ସିଟିରେ ଏଥର ଫିକା ପଡ଼ିପାରେ ବାଣ ବ୍ୟବସାୟ । ସବୁଜ ବାଣ ବ୍ୟବସାୟ କରିବାକୁ ଅନୁମତି ରହିଥିବା ବେଳେ ପ୍ରଶାସନର ମାତ୍ରାଧିକ କଟକଣା ବେପାରକୁ ଫିକା ପକାଇ ପାରେ । ସହରରେ ଅନେକ ଷ୍ଟଲ୍ ଖୋଲିଲାଣି ମାତ୍ର ହାତ କେଇଟା ଦୋକାନକୁ ଛାଡ଼ି ଦେଲେ ଆଉ ସବୁ ଫାଙ୍କା । ଯେଉଁ ବାଣ ଦୋକାନ ସବୁ ଖୋଲିଛି, ସେମାନଙ୍କୁ ଅନୁମତି ମିଳିଛି । ମାତ୍ର ଏହା ବିଳମ୍ବ ହୋଇଥିବା କୁହାଯାଉଛି । ହାତରେ ଆଉ ମାତ୍ର ଦୁଇ ଦିନ ରହିଥିବା ବେଳେ ଏଥିରେ ଭଲ ବ୍ୟବସାୟ ହେବ କି ନାହିଁ ସେନେଇ ଆଶା ଆଶଙ୍କାରେ ଅନେକ ବ୍ୟବସାୟୀ । ପାଗ ଭଲ ରହିଥିବାରୁ ବ୍ୟବସାୟ ହେବ ବୋଲି କୁହାଯାଉଛି । ଆଜି ସମସ୍ତ ବାଣ ଷ୍ଟଲ ଖୋଲିଯିବ ।
ସହରରେ ବାଣ ବିକ୍ରି ପାଇଁ ଅନୁମତି ନେବାକୁ ପଡ଼ିଥାଏ । ପୋଲିସର ବିନା ଅନୁମତିରେ କୌଣସି ଦୋକାନରେ ବାଣ ବ୍ୟବସାୟ ହୋଇନଥାଏ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଆସିବା ପରେ ପୋଲିସ ଏନେଇ ଅନୁମତି ଦେଇନପାରେ ବୋଲି ଚର୍ଚ୍ଚା ହେଉଥିଲା । ସହରରେ ବାଣ ଫୁଟିବା ଉପରେ କଟକଣା ଲାଗୁହେବାର ଯଥେଷ୍ଟ ସମ୍ଭାବନା ରହିଥିଲା । ଏଭଳି ସ୍ଥିତିରେ କଟକରେ ବାଣ ବିକ୍ରି ହେବ କି ନାହିଁ ସେନେଇ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ଦୀପାବଳିରେ ବାଣ କଟକଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ବିଶେଷକରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ପରେ କମିଶନରେଟ ପୋଲିସର କଣ ପଦକ୍ଷେପ ରହିବ ସେନେଇ କହିଛନ୍ତି ଡିସିପି । ବାଣ ବ୍ୟବସାୟ ପାଇଁ ପ୍ରାୟ ୪ ଶହରୁ ଅଧିକ ବାଣ ବ୍ୟବସାୟୀ କଟକ ଡ଼ସିପିଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ସେଥିରୁ ପ୍ରାୟ ୪୧ ଜଣ ବ୍ୟବସାୟୀ ଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି। ମାତ୍ର ପରବର୍ତ୍ତୀ ନିର୍ଦ୍ଦେଶଷ ନ ଆସିବା ପର୍ଯ୍ୟନ୍ତ ବାଣ ବିକ୍ରି ଲାଇସେନ୍ସ ପ୍ରଦାନ ଉପରେ ରୋକ ଲଗାଇଛି ପୋଲିସ। ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା କରିବା ପରେ, ସେନେଇ ପଦକ୍ଷେପ ନିଆଯିବ ବୋଲି ଡ଼ିସିପି କହିଛନ୍ତି
ଏହା ମଧ୍ୟ ପଢନ୍ତୁ-Diwali 2023: ଜଟଣୀରେ ଜମୁଛି ବାଣ ବ୍ୟବସାୟ, ଜିଲ୍ଲା ବାହାରୁ ଗ୍ରାହକଙ୍କ ଭିଡ଼
ଆସନ୍ତା ୧୨ ତାରିଖରେ ଆଲୋକର ପର୍ବ ଦୀପାବଳି । ଏହି ଦିନ ବଡ଼ବଡୁଆଙ୍କୁ ଡାକିବା ପରେ ବାଣ ଫୁଟାଇବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ ଘରେ ଘରେ ବାଣ ଫୁଟା ଯାଇଥାଏ। ଦୀପାବଳି ପାଇଁ ବାଣ ବ୍ୟବସାୟ ବି ଜମିଥାଏ । ଏହି କ୍ରମରେ କଟକ ସହରରେ ବାଣ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରିଛି କଟକ କମିଶନରେଟ ପୋଲିସ।ବିଶେଷକରି ବାଣ ବ୍ୟବସାୟୀ ମାନେ କେଉଁ କେଉଁ ସ୍ଥାନରେ ବାଣ ବ୍ୟବସାୟ କରିବେ , କେଉଁ ପ୍ରକାର ବାଣ ବିକି ପାରିବେ ? ବାଣ ବ୍ୟବସାୟ ପାଇଁ କେଉଁ କେଉଁ ନିୟମକୁ ପାଳନ କରିବାକୁ ପଡିବ ? ଆଦି ସମ୍ପର୍କରେ ବ୍ୟବସାୟୀଙ୍କୁ ସଚେତନ କରିଥିଲା ପୋଲିସ । ବଡ଼ କଥା ହେଉଛି ସମସ୍ତ ଦିଗକୁ ଧ୍ୟାନରେ ରଖି ବାଣ ବ୍ୟବସାୟ ପାଇଁ ଅନୁମତି ପ୍ରଦାନ କରିଥାଏ ପୋଲିସ ।
ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ କଟକ ସହରରେ ବାଣ ବ୍ୟବସାୟ ପାଇଁ ଗାଇଡ୍ଲାଇନ୍ ପ୍ରସ୍ତୁତ କରିଛି ପୋଲିସ । ଏହି କ୍ରମରେ ସହରର ୨୧ଟି ସ୍ଥାନ ଚିହ୍ନଟ କରାଯାଇଥିଲା । ପ୍ରତ୍ୟେକ ଥାନା ଅଞ୍ଚଳରେ ସ୍ଥାନ ଚିହ୍ନଟ କରାଯାଇଥିଲା । ଫାଙ୍କା ଆଉ ମୁକ୍ତ ଆକାଶ ତଳେ ବାଣ ବ୍ୟବସାୟ ପାଇଁ ବିଭିନ୍ନ ସ୍ଥାନ ଚିହ୍ନଟ କରାଯାଇଛି । କଟକ ସହରରେ ବିଶେଷକରି ଖୋଲା ପଡ଼ିଆରେ ଏହି ବ୍ୟବସାୟ କରାଯାଇଥାଏ । ଏଥିପାଇଁ ଡିସିପିଙ୍କ କାର୍ଯ୍ୟାଳୟରୁ ବ୍ୟବସାୟୀ ମାନଙ୍କୁ ଅନୁମତି ନେବାକୁ ପଡିଥାଏ । ବିଭିନ୍ନ ବିଭାଗରୁ କ୍ଲିଅରାନ୍ସ ଆଣିବା ପରେ ବାଣ ବ୍ୟବସାୟ କରିବାକୁ ଅନୁମତି ମିଳିଥାଏ । ସେହିପରି ୧୬୫ ଡେସିବେଲରୁ ଅଧିକ ଶବ୍ଦ ବିଶିଷ୍ଟ ବାଣ ବିକ୍ରୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଥିଲା । ଏସବୁ ଯାଞ୍ଚ କରିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଇଟିଭି ଭାରତ, କଟକ