କଟକ: ଯୌତୁକ ଜୁଇରେ ଆଉ ଏକ ବଧୂ । ପୁଣି ଗଡିଲା ବଧୂ ମୁଣ୍ଡ । କଟକ ଗୋପାଳପୁର ଅଞ୍ଚଳରେ ଯୌତୁକ ପାଇଁ ଜଣେ ବଧୂକୁ ହତ୍ୟା ଅଭିଯୋଗ । ଗୁରୁବାର ରାତିରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି । ମୃତ ମହିଳା ହେଉଛନ୍ତି ରାଣୀ ପାଲ୍ ।
ସୂଚନା ଅନୁଯାୟୀ, ଦଣ୍ଡିଲୋ ଗ୍ରାମର ରାଣୀ ଗୋପାଳପୁର ନିକଟସ୍ଥ ନୂଆସାହିର ମାନସ ପାଲଙ୍କୁ ଗତ ତିନି ବର୍ଷ ତଳେ ବିବାହ କରିଥିଲେ । କିନ୍ତୁ ଅନେକ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା । ବିଭିନ୍ନ ସମୟରେ ଶାଶୁ, ଶଶୁର ଓ ଦିଅର ମଧ୍ୟ ରାଣୀଙ୍କୁ ଶାରିରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏଣୁ ଗତ କିଛି ଦିନ ତଳେ ରାଣୀ ନିଜ ବାପଘରକୁ ଚାଲି ଯାଇଥିଲେ । ଆଉ ସବୁକଥା ନିଜ ପରିବାରକୁ ଜଣାଇଥିଲେ । ପରେ ତାଙ୍କ ଶାଶୁଘର ଲୋକ ତାଙ୍କ ବାପଘରକୁ ଯାଇ ତାଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣିଥିଲେ । ହେଲେ ଆଣିବାର କିଛି ଘଣ୍ଟା ପରେ ଅର୍ଥାତ୍ ଗତକାଲି ରାତିରେ ରାଣୀଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଯାହାଫଳରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।
ଖବର ପାଇ ଘଟଣାସ୍ଥଳରେ ବାପଘର ଲୋକେ ପହଞ୍ଚିବା ପରେ ତାଙ୍କ ଝିଅର ମୃତଦେହକୁ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ସଦର ଥାନାରେ ଯୌତୁକ ଯୋଗୁଁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ