କଟକ: ଯନ୍ତ୍ରଣା ଦେଉଛି ଅଘୋଷିତ ବିଦ୍ୟୁତ କାଟ । ଯାହାକୁ ନେଇ ଅସ୍ତବ୍ୟସ୍ତ ହେଲେଣି ସାଧାରଣ ଜନତା । ସେହିଭଳି ବିଦ୍ୟୁତ କାଟକୁ ନେଇ କଲବଲ ହେଉଛନ୍ତି କଟକବାସୀ । ଲୋ ଭୋଲ୍ଟେଜ ସାଙ୍ଗକୁ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯାହାକି ଜନସାଧାରଣଙ୍କୁ ବେଶ କଷ୍ଟ ଦେଉଛି । ଏନେଇ ଟାଟା ପାୱାର ବିଭାଗର ଅପାରଗତାକୁ ଦାୟୀ କରି କଟକରେ ବିଜେପି ପକ୍ଷରୁ ପ୍ରତିବାଦ । ଟାଟା ପାୱାରର ରାଣୀହାଟ ଠାରେ ଥିବା କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମୀମାନେ ବିଚଣା ଓ ଲଣ୍ଠନ ଧରି ଏକ ନିଆରା ଭାବରେ ପ୍ରତିବାଦ କରିଛନ୍ତି । ଶତାଧିକ ବିଜେପି କର୍ମୀ ଏନେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।
ରାଜ୍ୟ ସରକାର ଓ ଟାଟା ପାୱାର ମଧ୍ୟରେ ମଧୁ ଚନ୍ଦ୍ରିକା ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ବିଜେପି ଅଭିଯୋଗ କରିଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ସେପଟେ ବିଦ୍ୟୁତ ସେବାରେ ବ୍ୟାହତ ଘଟିବା ପଛରେ କାଳ ବୈଶାଖୀକୁ ଦାୟୀ କରିଛନ୍ତି ବିଭାଗୀୟ ଅଧିକାରୀ । ଏହି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଏବେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ ଚେକ ଦେବାକୁ ଶାସକ ଦଳ ବି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି । ଏନେଇ ଦଳର ଅନେକ ବରିଷ୍ଠ ବିଧାୟକ ଓ ନେତା ବିଶେଷ କରି ଆଗ ଧାଡ଼ିର ମହିଳା ନେତ୍ରୀ ମାନେ ଧାରଣା ଦେବା ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ଜନ ଆସନ୍ତୋଷ, ଆମରଣ ଅନଶନ
ତେବେ କେନ୍ଦ୍ର ସରକାର ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ଅହେତୁକ ଦରଦାମ ବୃଦ୍ଧି କରୁଛନ୍ତି । ଏଲ୍ପିଜି ଦର ଆଗରୁ ଯାହା ଥିଲା ଏବେ ତାହା ୩ ଗୁଣା ବଢିଛି ବୋଲି ଅଭିଯୋଗ କରିଛି ବିଜେଡି । ଉଜ୍ବଳା ଯୋଜନାରେ ମିଳିଥିବା ଗ୍ୟାସ ସିଲିଣ୍ଡର ରିଫିଲିଂ ହେଉନି । ତେବେ ଗ୍ୟାସ ଦର କମାଇବା ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି ବିଜେଡି । ସେହିପରି ଗ୍ୟାସ ଦରକୁ ନେଇ ଶାସକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିଛି । ମାତ୍ର ସାରା ରାଜ୍ୟରେ ବିଦ୍ୟୁତ କାଟ ପ୍ରସଙ୍ଗକୁ ନେଇ ଯେତେବେଳେ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରୁଛି ସେତେବେଳେ ଶାସକ ଦଳ ହଠାତ ଏପରି ପ୍ରତିବାଦ କରିବା ଯାହାକୁ ନେଇ ଅନେକ ନାପସନ୍ଦ କରିଛନ୍ତି ।
ଇଟିଭି ଭାରତ, କଟକ