କଟକ: ଚଳିତ ବର୍ଷ ବାଲିଯାତ୍ରା ଶେଷ ହେବାପରେ ବାଲିଯାତ୍ରାକୁ ନେଇ ଏବେ ଦେଖାଦେଇଛି ବିବାଦ । ଚଳିତବର୍ଷ ବାଲିଯାତ୍ରା ଆୟୋଜନରେ କଟକର ସଂସ୍କୃତି ଓ ପରମ୍ପରା ଭଙ୍ଗ କରାଯିବା ସହ ସବୁ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ମୁକସାକ୍ଷୀ କଟକର ଐତିହାସିକ ବାଲିଯାତ୍ରା । ନିକଟରେ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସ୍ବର ଉଠାଇଥିଲେ ବରିଷ୍ଠ ବିଜେଡି ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ତେବେ ସହରର ମୁରବୀ, ରାଜନୈତିକ ଦଳର ନେତା ଓ ବିଭିନ୍ନ ବ୍ୟବସାୟ ସଂଗଠନକୁ ଅଣଦେଖା କରି କଟକ ଜିଲ୍ଲା ପ୍ରଶାସନ ବାଲିଯାତ୍ରା କରି ସାବାସୀ ନେଇଛି ବୋଲି ଅଭିଯୋଗ ଆଣିଛନ୍ତି ବାଲିଯାତ୍ରା ଟ୍ରେଡ୍ ୟୁନିୟନ୍ । ସଙ୍ଘର ସାଧାରଣ ସମ୍ପାଦକ ସୁକାନ୍ତ ମହାନ୍ତି କହିଛନ୍ତି, "ପୂର୍ବରୁ ବାଲିଯାତ୍ରାରେ ପ୍ରଥମେ ପୁରୁଣା ବ୍ୟବସାୟୀଙ୍କୁ ଓ ପରେ ନୂଆ ବ୍ୟବସାୟୀଙ୍କୁ ପ୍ଲଟ ଆବଣ୍ଟନ ହେଉଥିଲା । ଚଳିତବର୍ଷ ନୂଆ ପୁରୁଣା ବ୍ୟବସାୟୀଙ୍କୁ ଅଣଦେଖା କରି ପ୍ଲଟ ନିଲାମ ହୋଇଥିଲା । ଯାହା ଫଳରେ ବହୁ କ୍ଷୁଦ୍ର ବ୍ୟବସାୟୀ ପ୍ଲଟ ପାଇବାରୁ ବଞ୍ଚିତ ହୋଇଛନ୍ତି ।"
ଏହା ସହିତ ବେଆଇନ୍ ଭାବେ ନିଲାମ ପ୍ରକ୍ରିୟାରେ ପ୍ରକୃତ ବ୍ୟବସାୟୀ ପରିବର୍ତ୍ତେ କିଛି ଅଣ ବ୍ୟବସାୟୀ ଅଧିକ ଦାମରେ ପ୍ଲଟ ପାଇଥିଲେ ବୋଲି ଅଭିଯୋଗ କରିଛି ଟ୍ରେଡ୍ ୟୁନିୟନ୍ । ଯେଉଁମାନେ ବାଲିଯାତ୍ରା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ସେମାନେ ନିରାଶ ହୋଇଛନ୍ତି । ତେବେ ବାଲିଯାତ୍ରାରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ହେବାର ଆବଶ୍ୟକତା ଅଛି ବୋଲି ସଙ୍ଘ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ବିନୟ ମହାନ୍ତି ଓ ସୂର୍ଯ୍ୟ ରଥଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଇଟିଭି ଭାରତ, କଟକ