କଟକ: ହାଇକୋର୍ଟରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବର । ଗିରଫଦାରୀ ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ଖଗେଶ୍ବର । ଖଗେଶ୍ବରଙ୍କ ନାଁ ରେ ୪୯୬/୨୦୨୨ ଖଣ୍ଡଗିରି ଥାନାରେ ମାମଲା ରହିଛି । ତେବେ ଏହି ମାମଲାରେ ପୋଲିସ ଏଯାଏଁ ତାଙ୍କୁ ଗିରଫ କରିନଥିଲେ ମଧ୍ୟ ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଖଗେଶ୍ବର ।
ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି ରଖିଛି ତଦନ୍ତ । ତେବେଲ ଏହାରି ଭିତରେ ହାଇକୋର୍ଟରେ ପହଞ୍ଚିଛନ୍ତି ଅର୍ଚ୍ଚନାଙ୍କ ସହଯୋଗୀ କୁହାଯାଉଥିବା ଖଗେଶ୍ବର । ଖଗେଶ୍ବରଙ୍କ ନାଁ ରେ ୪୯୬/୨୦୨୨ ଖଣ୍ଡଗିରି ଥାନାରେ ମାମଲା ରହିଛି । ଏହି ନିର୍ଦ୍ଦିଷ୍ଟ ମାମଲାରେ ପୋଲିସ ଏଯାଏଁ ଖଗେଶ୍ବରଙ୍କୁ ଗିରଫ କରିନାହିଁ । ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ଖଗେଶ୍ବରଙ୍କ ନାଁରେ ୩୫୪ C, ୩୭୦, ୩୮୭, ୪୨୦, ୫୦୬, ୧୨୦ B ଏହି ସବୁ ଦଫା ଲାଗିଛି । ତେବେ ଗିରଫଦାରୀ ଭୟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଖଗେଶ୍ବର ।
ସେପଟେ ଅର୍ଚ୍ଚନାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେବା ସହିତ ଏହି କେଳେଙ୍କାରୀରେ ସାମିଲ ଥିବା କିଛି ରାଜନେତା ତଥା ବଡ଼ବଡ଼ ବ୍ୟବସାୟୀଙ୍କ ଲିଙ୍କ୍ ଖୋଜି ବାହାର କରିଛି ଇଡି । ଇଡି ହାତରେ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କ ସୁରାକ ଲାଗିଛି । ପୋଲିସ ଜବତ କରିଥିବା ଡିଜିଟାଲ ଏଭିଡେନ୍ସକୁ ମଧ୍ୟ ଯାଞ୍ଚ ପାଇଁ ଚାହୁଁଛି ଇଡି । କିନ୍ତୁ ଏନେଇ ଫରେନ୍ସିକ ଟିମ ଏବେଯାଏଁ ଇଡିକୁ କୌଣସି ଡିଜିଟାଲ ତଥ୍ୟ ଦେଇନଥିବା ବେଳେ ସେହି ଗ୍ରାଉଣ୍ଡରେ ତଦନ୍ତ ପାଇଁ ଇଡି କୋର୍ଟକୁ ଜଣାଇଛି । ଏନେଇ ଅର୍ଚ୍ଚନାଙ୍କୁ ତୃତୀୟ ପର୍ଯ୍ୟାୟରେ ରିମାଣ୍ଡରେ ନେବାକୁ ଚାହିଁଥିଲା ଇଡି ।
ଅର୍ଚ୍ଚନାଙ୍କୁ ପ୍ରଥମ ପର୍ଯ୍ୟାୟରେ ୭ଦିନ ଓ ଦ୍ବିତୀୟ ପର୍ଯ୍ୟାୟରେ ୬ଦିନ ପାଇଁ ରିମାଣ୍ଡରେ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଆଜି ଅର୍ଚ୍ଚନାଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର କରାଇଥିଲା ଇଡି । ଏଠାରେ ଅର୍ଚ୍ଚନାଙ୍କୁ ତୃତୀୟ ପର୍ଯ୍ୟାୟରେ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ଇଡିର ଏହି ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଫଳରେ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର