କଟକ: ଏସସିବିରେ ରୋଗୀଙ୍କ ପ୍ରତି ବଢୁଛି ଦୁର୍ବ୍ୟବହାର । ପୂର୍ବରୁ ମୁତୟନ ଥିବା ସିକ୍ୟୁରୀଟି ଗାର୍ଡ ଦୁର୍ବ୍ୟବହାର କରୁଥିବାର ଚିତ୍ର ସମ୍ନାକୁ ଆସିଥିଲା ବେଳେ ବର୍ତ୍ତମାନ ରେକର୍ଡ଼ ରୁମ ଅଧିକାରୀ ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହି ସଂକ୍ରାନ୍ତରେ ଏସସିବି ଗସ୍ତ କରିଛି କଂଗ୍ରେସର ଏକ ପ୍ରିତିନିଧି ଟିମ । ଏସିବି ଅଧିକ୍ଷକଙ୍କୁ ଭେଟିବା ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗକୁ ଯେପରି ଏହି ଦୃଶ୍ୟ ଦେଖିବାକୁ ନମିଳିବ ସେ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବା ପାଇଁ ଏସିବି କତ୍ତୃପକ୍ଷଙ୍କୁ କଂଗ୍ରେସ ନିବେଦନ କରିଛି ।
ଏସସିବି ମେଡ଼ିକାଲ ହେଉଛି ଓଡ଼ିଶାର ଅନ୍ୟତମ ସ୍ବାସ୍ଥ୍ୟ ସେବାର ବୃହତ ପ୍ରତିଷ୍ଠାନ। ରାଜ୍ୟ ସରକାର ଏହାକୁ ଏମ୍ସପ୍ଲସର ରୂପ ଦେବା ପାଇଁ ଖର୍ଚ୍ଚ କରୁଛନ୍ତି ହଜାର ହଜାର କୋଟି ଟଙ୍କା । ହେଲେ ପ୍ରତିଷ୍ଠାନ ଯେତେ ଉଚ୍ଚକୁ ଯାଉଛି ସେହି ଅନୁସାରେ କର୍ତ୍ତୃପକ୍ଷଙ୍କ ବ୍ୟବହାର ଦିନକୁ ଦିନ ଖରାପ ହେବାରେ ଲାଗିଲାଣି । ଏପରି ସ୍ଥଳେ ଏସସିବି ହିଁ ବଦନାମ ହେବା ସାର ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ଦିଗରେ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଛି । ଗେଟରେ ମୁତୟନ ଥିବା ସୁରକ୍ଷାକର୍ମୀ ସାଧାରଣ ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଆକ୍ରୋଶ ମୂଳକ ଭାବରେ ନିଜର ପତିଆରା ଜାହିର କରୁଥିଲେ ସୁରକ୍ଷାକର୍ମୀ । ବର୍ତ୍ତମାନ ଆଉ ଜଣେ ଅଧିକାରୀ ଏଭଳି ଆଚରଣ କରୁଛନ୍ତି ତାହା ମଧ୍ୟ ସୀମା ପାର । ତେବେ ଏହି ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଏସିବି ଅଧିକ୍ଷକଙ୍କୁ ନିବେଦନ ଓ ଦାବି କରିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । ଆଗମୀ ଦିନରେ ଯଦି ଏଭଳି ଆଚରଣ ପୁନର୍ବାର ଦେଖିବାକୁ ମିଳେ ତେବେ କଂଗ୍ରେସ ଏହାର ଉଚିତ ଜବାବ ଦେବ ବୋଲି ସିଧାସଳଖ କହିଛନ୍ତି କଂଗ୍ରେସର ସମସ୍ତ କର୍ପୋରେଟର ।
ଏହା ମଧ୍ୟ ପଢ଼ନ୍ତୁ: SCB ଟ୍ରମା କେୟାର ଭେଣ୍ଟିଲେଟର ଅଚଳ ଘଟଣା, ସ୍କାନରରେ ବିହାର ରୋଗୀ
ଏନେଇ କଂଗ୍ରେସ କର୍ପୋରେଟର କହିଛନ୍ତି, "ତେବେ ସାରା ରାଜ୍ୟର ଲୋକ ବର୍ତ୍ତମାନ ଚିକିତ୍ସା ପାଇଁ ଏସସିବି ବଡ଼ ମେଡିକାଲ ମୁଁହା ହେଲେଣି । ଏପରିକି ରାଜ୍ୟ ବାହାରୁ ମଧ୍ୟ ରୋଗୀ କଟକ ବଡ଼ ମେଡିକାଲ ଆସୁଛନ୍ତି । ହେଲେ ଯେଉଁ ଚିତ୍ର ବର୍ତ୍ତମାନ ଦୃଷ୍ଟି ଗୋଚର ହେଉଛି ତାହା ଭଲ ବାର୍ତ୍ତା ଦେଉନି । ତେଣୁ ବିଚାର ବିମର୍ଶ କରି ଏଭଳି ଅସୁବିଧାକୁ ଦୂରେଇବା ଆବଶ୍ୟକ । ବିଗତ ଦିନ ମାନଙ୍କରେ ଏସସିବିରେ ସ୍ୱାସ୍ଥ୍ୟ ଚିକିତ୍ସା ଦିଗରେ ଯେଉଁ ସମସ୍ୟା ଥିଲା ତାହା ବର୍ତ୍ତମାନ କିଛି ମାତ୍ରାରେ ସମାଧାନ ହୋଇଥିଲେ ସୁଦ୍ଧା ଆହୁରି ବଡ଼ ସମସ୍ୟା ଦୃଷ୍ଟିଗୋଚର ହେଉଛି । ତେଣୁ ହସ୍ପିଟାଲ ଅଧିକ୍ଷକଙ୍କୁ ଭେଟି ଏହି ତମାମ ଦିଗ ଉପରେ କଂଗ୍ରେସ ଟିମ ଆଲୋଚନା କରିଛନ୍ତି ।" ଅନ୍ୟପଟେ ବଡ଼ ମେଡ଼ିକାଲରେ ଯେଉଁ ଦୁର୍ବ୍ୟବହାରକୁ ନେଇ ପ୍ରସଙ୍ଗ ରହିଛି ତାହା ଶୀଘ୍ର ସମାଧାନ ହେବା ନେଇ ଅଧିକ୍ଷକ ସ୍ପଷ୍ଟ କରିଛନ୍ତି ।
ଇଟିଭି ଭାରତ, କଟକ