କଟକ: ବାପା ମାଆଙ୍କ ମାଡ ଗାଳିରୁ ସବୁବେଳେ ବଞ୍ଚାଇ ଆସେ ଜେଜେମାଆ । କ'ଣ ଗୋଟିଏ ଛୋଟ ଭୁଲ ପାଇଁ ନାତୁଣୀଟା ଉପରେ ଏତେ ରାଗ ଦେଖାଉଛି କହି କୋଳେଇ ନିଏ ବୁଢୀମାଆ । ହେଲେ ଆଜି ସେହି ନାତୁଣୀ ବଡ ହେବା ପରେ ଭୁଲି ଯାଇଛି ଜେଜେମାଆର ସେହି ମମତା ଓ ସ୍ନେହ । ଆଉ ଅତି ନିର୍ମମ ଭାବେ ନିଜ ଜେଜେମାଆକୁ ଖଡିକାରେ ଆକ୍ରମଣ କରିଛି ନାତୁଣୀ । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କଟକ ଉଷୁମା ଗ୍ରାମପଞ୍ଚାୟତର ସୁମାଣ୍ଡି ଗାଁ ୭୦ ବର୍ଷୀୟ ଜେଜେମାଆ ଫୁଲ ଜେନା ଖାଇବା ମାଗିବାରୁ ପ୍ରଥମେ ରୋକଠୋକ ମନା କରିଦେଇଥିଲା ନାତୁଣୀ । ଏହା ପରେ ଜେଜେମାଆ ପୁଣି ଖାଇବା ମାଗିବାରୁ ଅତି ନୃଶଂସ ଭାବେ ଗାଁ ଦାଣ୍ଡରେ ପିଠା ଖଡିକା ଓ କାଠ ଫାଳିଆରେ ଆକ୍ରମଣ କରିଥିଲା ନାତୁଣୀ ।
ତେବେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଦ୍ବାରା ସେଠାରେ ସେ ଅଚେତ ହୋଇ ପଡି ଯାଇଥିଲେ । ଏହା ପରେ ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲ ନେଇଯାଇଥିଲେ ଫୁଲଙ୍କ ପୁଅ । ତେବେ ନାତୁଣୀଙ୍କ ଏହା ପ୍ରଥମ ଆକ୍ରମଣ ନୁହେଁ ପୂର୍ବରୁ 4 ଥର ସେ ଆକ୍ରମଣ କରିଥିବା କହିଛନ୍ତି ଫୁଲ ।
ସେପଟେ, ଘଟଣାକୁ ନେଇ ଥାନାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ । ତେବେ ତୁରନ୍ତ ଥାନାରେ ଏନେଇ ଅଭିଯୋଗ ଦିଆଯିବ ବୋଲି ସୂଚନା ମିଳିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ