ଭୁବନେଶ୍ବର: ବୟସ ପାଖାପାଖି 70ରୁ 90 । ଚାଲିବାକୁ ବଳ ନାହିଁ । କିଏ ସାହାରା ଦେଲେ ଖଣ୍ଡିଏ ବାଟ ଚାଲୁଛନ୍ତି । ଏପରିକି ଟିକେ ବାଟ ଗଲେ ଥକି ପଡୁଛନ୍ତି । ଆଉ କେହି କେହି ମଧ୍ୟ ଦିବ୍ୟାଙ୍ଗ । ହେଲେ ଏମାନେ ଭୁଲିନାହାନ୍ତି ଗଣତାନ୍ତ୍ରିକ ରାଷ୍ଟ୍ରର ଜଣେ ନାଗରିକର କର୍ତ୍ତବ୍ୟ ଓ ଦାୟିତ୍ବ।
ବହୁ କଷ୍ଟ ସତ୍ତ୍ବେ ବୁଥକୁ ଆସି ନିଜ ବହୁମୁଲ୍ୟ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏ ହେଉଛି ରାଜ୍ୟ ରାଜଧାନୀର ବିଭିନ୍ନ ମତଦାନ କେନ୍ଦ୍ରର ଦୃଶ୍ୟ । ଯାହାକି ଏବେ ସମସ୍ତଙ୍କୁ ଚକିତ କରିବା ସହ ଭୋଟ ଦେବାକୁ ପ୍ରେରଣା ଯୋଗାଇଛି । ଖାସ କରି ଆଜିର ଯୁବପୀଢୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ମଙ୍ଗଳବାର ସାରା ଦେଶରେ ତୃତୀୟ ପର୍ଯ୍ୟୟ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ । ରାଜ୍ୟର 6ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟ ଗ୍ରହଣ । ଏହା ମଧ୍ୟର ଚର୍ଚ୍ଚିତ ଆସନ ଭୁବନେଶ୍ବର । ତେବେ ଏଠାକାର ଭୋଟ କେନ୍ଦ୍ରରେ ସକାଳୁ ସକାଳୁ ବୟସ୍କ ଭୋଟରଙ୍କୁ ଦେଖି ଜମିଥିଲା ଏକ ଭିନ୍ନ ନିର୍ବାଚନୀ ମାହୋଲ ।
କିଏ ନାତି ନାତୁଣି ତ ପୁଣି କିଏ ପୁଅ ଓ ବୋହୁଙ୍କ ଆଶ୍ରାରେ ପହଞ୍ଚୁଛନ୍ତି ଭୋଟ କେନ୍ଦ୍ରକୁ । ପୁଣି କିଏ ଅଟୋ, ବାଇକ ପଛରେ ବସି ଆସୁଛନ୍ତି ନିଜ ଅଧିକାର ସାବ୍ୟସ୍ତ କରିବାକୁ । ଜଣେ ବୃଦ୍ଧ କହିଥିଲେ ‘୮୫ ବର୍ଷ ରେ ସେ ଯଦି ଭୋଟ ଦେଇପାରୁଛନ୍ତି, ଯୁବ ବର୍ଗ କାହିଁକି ନୁହେଁ । ତେଣୁ ସଭିଏଁ ଭୋଟ ଦିଅନ୍ତୁ’ ବୋଲି ଥଙ୍ଗେଇ ଥଙ୍ଗେଇ ଯୁବ ଭୋଟରଙ୍କୁ ଆହ୍ବାନ ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ