ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମ ଥର ଅନଲାଇନରେ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ସ୍ନାତକୋତ୍ତର ପାଠ୍ୟକ୍ରମ ଅନ୍ତର୍ଗତ ପରୀକ୍ଷାଗୁଡିକ ଅନଲାଇନରେ ହେବାକୁ ଥିବା ବେଳେ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମ ପାଇଁ ଅଫ ଲାଇନରେ ପରୀକ୍ଷା କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ମାସ ମେ 12 ରେ ଅଫଲାଇନ ଓ 13ରେ ଅନଲାଇନ ପରୀକ୍ଷା ହେବ । ଏଥିଲାଗି ମୋଟ ୪୬,୩୩୫ ପରୀକ୍ଷାର୍ଥୀ ୮୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ।
୧୨ ତାରିଖରେ ପରୀକ୍ଷା ହେବାକୁ ଥିବା ପରୀକ୍ଷା ପାଇଁ ଗୁରୁବାରରୁ ଆଡମିଟି କାର୍ଡ ଅନଲାଇନରେ ଉପଲବ୍ଧ ହୋଇଛି । ସେହିପରି ଯେଉଁମାନଙ୍କ ୧୩ ତାରିଖରେ ପରୀକ୍ଷା ହେବ ସେମାନେ ଶନିବାର ସନ୍ଧ୍ୟାରେ ଓଡ଼ିଶା ଜେଇଇ ୱେବ ସାଇଟରୁ ଆଡମିଟି କାର୍ଡ ଡାଉନଲୋଡ କରିପାରିବେ । ଯଦି କୌଣସି ପରୀକ୍ଷାର୍ଥୀଙ୍କ କିଛି ଅସୁବିଧା ହୁଏ ସେମାନଙ୍କ ପାଇଁ ଆସନ୍ତା ମେ ୫ ତାରିଖ ପର୍ଯ୍ୟନ୍ତ ଆବେଦନ ପତ୍ର ଦେଇପାରିବେ । ଓଡ଼ିଶା ଜେଇଇ ପକ୍ଷରୁ ଯଥା ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ପରୀକ୍ଷା ବିଶେଷ କରି ୨ଟି ପର୍ଯ୍ୟାୟରେ କରାଯିବ। ସକାଳ ୯ ଟାରୁ ୧୧ଟା ଓ ଅପରାହ୍ଣ ୨ଟା ରୁ ୪ଟା ରହିଛି । ଏହି ସିଟିଂ ଗୁଡିକରେ ଏମବିଏ, ଏମସିଏ, ଏମଟେକ, ଏମ୍ ଫାର୍ମା, ଏମ୍ ଆର୍କ ଏବଂ ଏମ୍ ପ୍ଲାନ୍ ପାଇଁ ପରୀକ୍ଷା କରାଯିବ।
ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଓଜେଇଇ ନିର୍ଦ୍ଦେଶ ରହିଥିବା ବେଳେ ବିଭାଗର ନିର୍ଦ୍ଦେଶ କ୍ରମେ ଓଜେଇଇ କର୍ତୃପକ୍ଷ ପ୍ରଥମ ଥର ଅନ୍ଲାଇନରେ ପ୍ରବେଶିକା ପରୀକ୍ଷା କରିବେ । ଏଥିଲାଗି ରାଜ୍ୟରେ ୮୫ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ୫୩ଟି ଅଫଲାଇନ୍ ପରୀକ୍ଷା କେନ୍ଦ୍ର ଓ ୩୨ଟି ଅନଲାଇନ୍ ପରୀକ୍ଷା କେନ୍ଦ୍ର ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ