ଭୁବନେଶ୍ବର: ଆସନ୍ତା 2ରେ ଓଡିଶା ଆସିବେ ବିଏସ୍ପି ସୁପ୍ରିମୋ ତଥା ପୂର୍ବଚନ ୟୁପି ସିଏମ୍ ମାୟାବତୀ । ଏହି ଅବସରରେ ଭୁବନେଶ୍ବରରୁ ନିଜ ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି ମାୟାବତୀ । ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଟଙ୍କଧର ବାଗ ଏନେଇ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ ରାଜଧାନୀରେ ମାୟାବତୀ ପହଞ୍ଚିବା ପରେ ବରମୁଣ୍ଡା ନିକଟସ୍ଥ ବିଜୁ ପଟ୍ଟନାୟକ ପଡିଆରେ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଇ ରାଜ୍ୟର ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ମାୟାବତୀ ।
ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସ୍ଥିତିରେ ଦଳିତ ଓ ପଛୁଆ ବର୍ଗର ଲୋକେ କିପରି ଅବହେଳିତ ହୋଇଛନ୍ତି, ସେ ନେଇ ଓଡିଶାବାସୀଙ୍କୁ ଅବଗତ କରାଇବେ ମାୟାବତୀ । ତେବେ ରବିବାର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ୟୁପିର ପୂର୍ବତନ ମନ୍ତ୍ରୀ ତଥା ଦଳର ଓଡିଶା ପ୍ରଭାରୀ ଧରମ ବୀର ଅଶୋକ, ଛୋଟୁ ଲାଲ ଓ ପୂର୍ବତନ ରାଜ୍ୟ ସଭାପତି ଅକ୍ଷୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ