ଭୁବନେଶ୍ବର: ଆଜି ପଦ୍ମ ଛାଡିଛନ୍ତି ବରଗଡର ଟାଣୁଆ ନେତା ସୁବାଷ ଚୌହାନ । ଯେଉଁ ଦଳରେ ଦୀର୍ଘ ଦିନ ଧରି କାମ କରିଥିଲେ, ସେ ଦଳକୁ ବାଏ ବାଏ କହିଛନ୍ତି ସେ । ଦଳରୁ ଇସ୍ତଫା ଦେଇଛନ୍ତି ସତ, ହେଲେ ମୋଦିଙ୍କୁ ପ୍ରଂଶସା କରିଛନ୍ତି । ନିଜ କୋହକୁ ଗଣମାଧ୍ୟମ ଆଗରେ ସମ୍ଭାଳି ପାରିନଥିଲେ ବାଜପେୟୀ, ଆଡୱାଣୀ ଅମଳର ଏହି ନେତା ଜଣକ ।
ଦଳରୁ ଇସ୍ତଫା ଦେବା ପରେ ସୁବାଷ କହିଥିଲେ, ମୁଁ ମର୍ମାହତ । କେବଳ ଟିକେଟ ପାଇଁ ନୁହେଁ । ରାଜ୍ୟ ବିଜେପିର କାର୍ଯ୍ୟଶୈଳୀ ମତେ ମର୍ମାହତକରିଛି । ଏହା ଏବେ ଜଣେ ବ୍ୟକ୍ତିର କବଜାରେ ରହିଛି । ସଙ୍ଘ ମଧ୍ୟ ଏହି ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି । ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଡକୁ ଏପରି ଇଙ୍ଗିତ କରିଥିଲେ ସୁବାଷ ।
ବିଜେପି ଛାଡିବା ପରେ କେଉଁ ଦଳକୁ ଯିବେ ସୁବାଷ ? ଗଣମାଧ୍ୟମର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁବାଷ କହିଥିଲେ, ନିଜ ଅଞ୍ଚଳର ଲୋକଙ୍କ ସହ କଥା ହେବି । ମତାମତ ନେବି । ପରେ ଏନେଇ ନିଷ୍ପତ୍ତି ନେବି । ଏପରି କହି ସମସ୍ତଙ୍କ ଆଗରେ କାନ୍ଦି ପକାଇଥିଲେ ସେ। ମନେ ହେଉଥିଲା, ସତେ ଯେମିତି ସେ ବାଧ୍ୟବାଧକତାରେ ଦଳ ଛାଡିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ନ୍ୟୁଜ