ଭୁବନେଶ୍ବର: ଆସନ୍ତାକାଲି (ଗୁରୁବାର) ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ସକାଳ ୭ଟାରେ ହେବ ମତଦାନ । ପୋଲିଂ ପାର୍ଟି ସମସ୍ତ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି । ୫ଟି ଲୋକସଭା ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ୯୧୧୭ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ।
ଲୋକସଭା ପାଇଁ ମୋଟ ୩୫ଜଣଙ୍କ ପାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏମାନଙ୍କ ମଧ୍ୟରେ ୩୦ଜଣ ପୁରଷ ଓ ୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୩୫ ବିଧାନସଭା ପାଇଁ ମୋଟ ୨୪୪ ଜଣ ପ୍ରାର୍ଥୀ ଭାଗ ନେଉଛନ୍ତି । ଏମାନଙ୍କ ମଧ୍ୟରେ ୨୧୯ ପୁରୁଷ ଓ ୨୫ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।
ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ମତଦାତା ଭୋଟ ଦେବେ। ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୩୯ ଲକ୍ଷ ୪୫ ହଜାର ୨୫। ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ରହଛି ୩୭ଲକ୍ଷ ୪୭ହଜାର ୪୯୩। ୬୦୫ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି। ୬୦ହାଜାରରୁ ଅଧିକ ପୋଲିଂ ଅଧିକାରୀ ରହିଛନ୍ତି । ୮୭୦୦ ଗାଡି ନିୟୋଜିତ ହୋଇଛି।
ମୋଟ ବୁଥ୍ ମଧ୍ୟରୁ ୩୭୦୧ ବୁଥ୍ ସମ୍ବେଦନଶୀଳ ରହିଛି। ସୁରକ୍ଷିତ ନିର୍ବାଚନ ପାଇଁ ସ୍ଵତନ୍ତ୍ର ନିର୍ଦ୍ଦେଶ ଓ ବ୍ୟବସ୍ଥା ରହିଛି। ୭୩୯ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । ୮୮୩ ମତଦାନ କେନ୍ଦ୍ର ରେ ଓ୍ଵେବ କାଷ୍ଟି କରାଯିବ। ୬୨୩ ସିସିଟିଭି କ୍ୟାମେରା ଲଗାଯିବ। ୮୯୨ ଜଣ ମାଇକ୍ରୋ ଅବଜରଭର ନିୟୋଜିତ ହେବେ। ୩୩୧ଟି ବୁଥର ଭିଡିଓଗ୍ରାଫି କରାଯିବ। ୨୫ଟି ବୁଥରେ ଷ୍ଟିଲ ଫୋଟୋଗ୍ରାଫି ହେବ । ସବୁ ସେକ୍ସନ ଅଫିସରଙ୍କ ଗାଡିକୁ ଜିପିଏସ ଜରିଆରେ ଟ୍ରାକିଂ କରାଯିବ।
ସେହିପରି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପ୍ରତି ବୁଥ ଆଗରେ ଟେଣ୍ଟ କରିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ଆବଶ୍ୟକ ଚେୟାର ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ବୟସ୍କ ଓ ଭିନ୍ନକ୍ଷମଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୮ ହଜାର ୪୫୮ ଭିନ୍ନକ୍ଷମ ଭୋଟର ରହିଛନ୍ତି। ଏନେଇ ୧୭,୮୮୨ଜଣ ସ୍ଵେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଭିନ୍ନକ୍ଷମ ଭୋଟର ଯେପରି ସୁରୁଖୁରୁରେ ଭୋଟ ଦେଇପାରିବେ ସେନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏନସିସି, ସ୍କାଉଟ ଏଣ୍ଡ ଗାଇଡ୍ ଏବଂନେହୁରୁ ଯୁବ କେନ୍ଦ୍ରର ସଦସ୍ୟମାନେ ମଧ୍ୟ ନିୟୋଜିତ ହୋଇଛନ୍ତି।
ଭୁବନେଶ୍ବରରୁ ତପନ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ