ଭୁବନେଶ୍ୱର: ରାଜ୍ୟରେ ବିଶ୍ବବିଦ୍ୟାଳୟର ବାର୍ଷିକ ଖର୍ଚ୍ଚର ହିସାବ ହେଉନି । ଓଡିଶା ବିଶ୍ୱବିଦ୍ୟାଳୟ ଆଇନ 1989 ଅନୁସାରେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଆକାଉଣ୍ଟକୁ ଅଡିଟ କରାଯିବା କଥା। ଅଡିଟ ରିପୋର୍ଟକୁ ସିଏଜି ରିପୋର୍ଟ ଭଳି ପ୍ରତି ବର୍ଷ ଗୃହରେ ଉପସ୍ଥାପନା କରାଯିବା କଥା। କିନ୍ତୁ 20 ବର୍ଷ ହେଲା ଗୋଟେ ବି ଅଡିଟ ରିପୋର୍ଟ ଆସିନାହିଁ। ଏଥିରୁ ସ୍ପଷ୍ଟ ହେଉଛି ବ୍ୟାପକ ଅନିୟମିତତା ହେଉଛି।
ଶୁନ୍ୟ କାଳରେ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଏଥିସହ ସବୁ ବିଭାଗର ମନ୍ତ୍ରୀମାନେ ବିଧାନସଭାରେ ଏନେଇ ଉତ୍ତର ଦେବାକୁ ସେ ଦାବି କରିଥିଲେ ।
ହେଲେ ବାଚସ୍ପତି ଅନୁଧ୍ୟାନ କରିବି ବୋଲି କହିଲେ, ଯେଉଁଥି ପାଇଁ ଗୃହରେ ହୋହଲ୍ଲା ନାରାବାଜି କରିଥିଲେ କଂଗ୍ରେସ ବିଧାୟକ। ଯେଉଁ ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ଦିଆଯାଉଛି । ସେ ବାବଦରେ ଅର୍ଥ ଖର୍ଚ୍ଚ ହେଉନଥିବା ବାରମ୍ବାର ଅଭିଯୋଗ ହେଉଛି। ଏହି ରପୋର୍ଟ ଗୃହରେ ଉପସ୍ଥାପିତ ହେଲେ ଅର୍ଥ ଠିକ ସେ ପରିଚାଳନା ହେଉଛି କି ନାହିଁ ତାହା ଜଣାପଡିବ। ଯଦି ପରିଚାଳନାଗତ ସମସ୍ୟା ରହିଛି ଏବଂ ଆର୍ଥିକ ଅନିୟମିତତା ରହିଛି ସେ କ୍ଷେତ୍ରରେ ସରକାର ପରିଚାଳନା ବୋର୍ଡ଼କୁ ଭାଙ୍ଗି ପ୍ରଶାସକ ନିଯୁକ୍ତି କରିପାରିବେ ।
ରାଜ୍ୟରେ 29ଟି ବିଶ୍ବବିଦ୍ୟାଳୟ ଥିବା ବେଳେ କିଛି ବିଶ୍ବବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗ, କିଛି ବୈଷୟିକ ଶିକ୍ଷା ବିଭାଗ, କିଛି ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗ ଏବଂ ଘରୋଇ ବିଶ୍ବବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ଆଇନ ରହିଛି । ସବୁ ଆଇନରେ ଅଡିଟ ବ୍ୟବସ୍ଥା ରହିଛି । କିନ୍ତୁ ଗୋଟିଏ ହେଲେ ଅଡିଟ ରିପୋର୍ଟ ଗୃହରେ ଉପସ୍ଥାପିତ ହେଉନି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏନେଇ ଗୃହରେ ହଟ୍ଟଗୋଳ ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ । ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ରିପୋର୍ଟ ଉପସ୍ଥାପନକୁ ସମର୍ଥନ କରିଛନ୍ତି ।
ଭୁବନେଶ୍ବରରୁ, ଅଜିତ ଦାସ, ଇଟିଭି ଭାରତ