ଭୁବନେଶ୍ୱର: ରାଜ୍ୟ ବିଜେପି ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜାଗିର ହୋଇଛି । ତାଙ୍କ ସହ ସାମିଲ ହୋଇଛନ୍ତି ଓଡିଶା ସଂଘ ପ୍ରମୁଖ । ଫଳର ଏବେ ରାଜ୍ୟରେ ବିଜେପି ଜଣେ ନେତାଙ୍କ ନିର୍ଦ୍ଦେଶ ଏବଂ ଇଚ୍ଛାରେ କାର୍ଯ୍ୟ କରୁଛି । ତାଙ୍କୁ ଚାପୁଲାସି କରୁଥିବା ନେତା ହିଁ କ୍ଷମତାଶାଳୀ । ଏହାଦ୍ବାରା ରାଜ୍ୟରେ ବିଜେପିର ରାଜ୍ୟନୈତିକ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଆଜି ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସୁବାଷ ଚୌହାନ ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ।
2014ରେ ସୁବାଷ ଚୌହାନ ବିଜେପିରୁ ବରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ । ସେ ରାଜ୍ୟରେ ବିଜେପିର ସବୁ ପ୍ରାର୍ଥୀଙ୍କ ଠାରୁ ସର୍ବାଧିକ 3ଲକ୍ଷ 72ହଜାର ଭୋଟ ପାଇଥିଲେ । ସେ ମାତ୍ର 11ହଜାର ଭୋଟରେ ହାରିଥିଲେ । ଗତ ପାଞ୍ଚ ବର୍ଷ ଧରି ସେ ନିଜ ନିର୍ବାଚନମଣ୍ଡଳୀରେ ସଙ୍ଗଠନ କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଏଥର ତାଙ୍କୁ ପ୍ରାର୍ଥୀ କରାଗଲାନି । ଏହାର ପ୍ରତିବାଦ କରି ସେ ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ସେ ନିଜର ପରବର୍ତ୍ତୀକାର୍ଯ୍ୟପନ୍ଥା ସ୍ଥିର କରିନାହାଁନ୍ତି । କେଉଁ ଦଳକୁ ଯିବେ କି ନାହିଁ ତାହା ସ୍ଥିର ହୋଇନଥିଲେ ବି ସେ 2019ରେ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତି ଯେ, ଦିଲ୍ଲୀରେ ନରେନ୍ଦ୍ର ଓ ଏଠି ଧର୍ମେନ୍ଦ୍ରଙ୍କୁ ନେଇ ସବୁ ବେଳେ ଚର୍ଚ୍ଚା । ଧର୍ମେନ୍ଦ୍ର ଅର୍ଥାତ ଧର୍ମ ଓ ଇନ୍ଦ୍ର ହେବା କଥା, କିନ୍ତୁ ସେ ଏସବୁଠୁ ଦୂରରେ ଏବଂ ପ୍ରବଳ ଅହଂକାରୀ । ଯାହା ଦଳ କି ସଙ୍ଘର ନୀତି ଆଦର୍ଶର ପରିପନ୍ଥୀ ବୋଲି ସେ ଅଭିଯୋଗ କରିଛନ୍ତି । ସଙ୍ଘ ଓ ମୋଦିଙ୍କ ବିଚାରଧାରା ହେଉଛି ସିମ୍ପୁଲ ଲିଭିଙ୍ଗ, ହାଇ ଥିଙ୍କିଙ୍ଗ । ଧର୍ମେନ୍ଦ୍ରଙ୍କ ବିଚାରଧାରା କିନ୍ତୁ ଏହା ନୁହେଁ । ବରଂ ମୋଦି ଓ ନବୀନଙ୍କ ବିଚାରଧାରା ସମାନ । ଏହି ଦୁଇ ନେତା ଏବେ ସମାଜ ପାଇଁ ଆଦର୍ଶ ବୋଲି ସେ କହିଛନ୍ତି ।
ଯେଉଁଥିପାଇଁ ନବୀନ, ଧର୍ମେନ୍ଦ୍ରଙ୍କ ଅପେକ୍ଷା ଓଡିଶାରେ ଅଧିକ ଗ୍ରହଣୀୟ । କେବଳ ତାଙ୍କର ଟିକେଟ କଟିନି, ଦଳରେ ଏମିତି 30ରୁ ଅଧିକ ନେତାଙ୍କୁ ଟିକେଟ ମିଳିନି । ଏପିରିକି ବହୁ ନେତାଙ୍କ ଆସନରେ ପରିବର୍ତ୍ତନ କରାଯାଇଛି । ଯେଉଁ ଢଙ୍ଗରେ ଏବଂ ଯେଉଁ ନୈତିକତାରେ ଟିକେଟ ବଣ୍ଟନ ହୋଇଛି, ସେଥିରୁ ବିଜେପିର ମିଶନ 120 ହାସଲ ହୋଇପାରିବନି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ