ଭୁବନେଶ୍ବର: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନରେ ପ୍ରାକୃତିକ ବିପର୍ଯ୍ୟୟକୁ ଏକ ମାନଦଣ୍ଡ ଭାବେ ଗ୍ରହଣ କରାଯାଉ । ଆଉ ସେ ପର୍ଯ୍ୟନ୍ତ ଫୋକସ ରଖି ସ୍ବତନ୍ତ୍ର ରାଜ୍ୟ ଭଳି ଓଡିଶାକୁ ସମସ୍ତ ସୁବିଧା ସୁଯୋଗ ଦିଆଯାଉ । ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ଏଭଳି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦ୍ବିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ ପରେ ମୋଦି ଓ ନବୀନଙ୍କ ଏହା ପ୍ରଥମ ଭେଟଘାଟ । ଏହି ଅବସରରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ନବୀନଙ୍କୁ କ୍ରମାଗତ ପଞ୍ଚମ ଥର ପାଇଁ ଓଡିଶାରେ ସରକାର ଗଠନର ସୁଯୋଗ ପାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ବାତ୍ୟା ଫନି ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସାହାଯ୍ୟ, ସହାନୁଭୂତିକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଉଭୟଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନର ଏକ ମାନଦଣ୍ଡ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏହା ରାଜ୍ୟଗୁଡିକର ସାମଗ୍ରିକ ବିକାଶକୁ ସହଯୋଗ କରିବ ବୋଲି ସେ ଯୁକ୍ତି ବାଢିଛନ୍ତି। ଓଡିଶା କେନ୍ଦ୍ରୀୟ ପ୍ରବର୍ତ୍ତିକ ଯୋଜନାରେ 90:10 ଅନୁପାତରେ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ନମିଳିବା ଯାଏ, ଓଡିଶା ପରି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡିକୁ ନିର୍ଦ୍ଦିଷ୍ଟ ସମୟ ସ୍ବତନ୍ତ୍ର ଫୋକସ ରାଜ୍ୟ ଭାବେ ଗ୍ରହଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ବାରା ଭିତ୍ତିଭୂମିର ପୁନରୁଦ୍ଧାର, ପୁନଃନିର୍ମାଣ ଓ ଜୀବନ ଜୀବିକାର ବିକାଶ ସହଜ ସାଧ୍ୟ ହେବ । ଏହାଦ୍ବାରା କେବଳ ଓଡିଶା ନୁହେଁ, ଚିରାଚରିତ ଭାବେ ପ୍ରାକୃତିକ ଦୁର୍ବିପାକାର ଶିକାର ହେଉଥିବା ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଉପକୃତ ହେବେ ।
ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏଣୁ 90:10 କେନ୍ଦ୍ରୀୟ ସହୟତା ଅନୁପାତରେ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 5 ଲକ୍ଷ ବାସଗୃହ ଯୋଗାଇ ଦେବାକୁ ସେ ଜଣାଇଛନ୍ତି ।
ଭୌଗୋଳିକ ଦୃଷ୍ଟିରୁ ଲଗାତର 1900 ମସିହାରୁ 2019 ପର୍ଯ୍ୟନ୍ତ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛି ଓଡିଶା । ବାତ୍ୟା- ବନ୍ୟା ଓ ମରୁଡି ପ୍ରତିବର୍ଷ ଲାଗି ରହିଛି । ପୂର୍ବ ଉପକୂଳ ଦେଇ ଗତି କରୁଥିବା ବାତ୍ୟା ଓ ସାମୁଦ୍ରିକ ଝଡ ମଧ୍ୟରୁ 35 ପ୍ରତିଶତ କେବଳ ଓଡିଶାକୁ କ୍ଷତିଗ୍ରସ୍ତ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି । ସଦ୍ୟ ବାତ୍ୟା ଫନିରେ 5.6 ଲକ୍ଷ ଘର ନଷ୍ଟ ହୋଇଥିବା ବେଳେ ଲକ୍ଷ ଲକ୍ଷ ଗଛ ଧରାଶାୟୀ ହୋଇଛି । ବ୍ୟାପକ ଭାବେ ବିଦ୍ୟୁତ ସରବରାହ, ଯୋଗାଯୋଗ ବ୍ୟବସ୍ଥା ଭଳି ସରକାରୀ ଭତ୍ତିଭୂମୀ ନଷ୍ଟ ହୋଇଯାଇଛି । ଏ ଗୁଡିକର ପୁନଃରୁଦ୍ଧାର ଓ ନିର୍ମାଣ ସହ ରିଲିଫ ପାଇଁ ପ୍ରାୟ 9336 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏ ବାବଦରେ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ପ୍ରାୟ 5228 କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର କେନ୍ଦ୍ରଙ୍କୁ ଜଣାଇଛନ୍ତି । ତୁରନ୍ତ ଏ ସହାୟତା ରାଶି ପ୍ରଦାନ କଲେ ପୁନଃନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ।
ସେହିଭଳି ଫନିରେ ସରକାରୀ ଭିତ୍ତିଭୂମି ବହୁ ସଂଖ୍ୟାରେ ନଷ୍ଟ ହୋଇଛି । ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଜୀବନଜୀବିକା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ‘ସରକାରୀ ଭିତ୍ତିଭୂମିର ପୁନଃନିର୍ମାଣ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ବିପର୍ଯ୍ୟୟ ପାଣ୍ଠିରୁ ଖର୍ଚ୍ଚ କରାଯାଇପାରିବ ନାହିଁ ।’ ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ଏହି ବ୍ୟବସ୍ଥାରେ ସଂଶୋଧନ ପାଇଁ ସେ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଓଡିଶା ସରକାର ଦୀର୍ଘ ଦିନ ଧରି ଦାବି କରିଆସୁଥିବା କୋଇଲା ରୟାଲଟି ସଂଶୋଧନ ପ୍ରସ୍ତାବ ମଧ୍ୟ ଉଠିଛି । ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, 2012 ମେ 10 ତାରିଖରେ ଶେଷ ଥର ପାଇଁ କୋଇଲା ରୟାଲିଟି ସଂଶୋଧନ ହୋଇଥିଲା । ତା ପରଠାରୁ ଆଉ ସଂଶୋଧନ ହୋଇନାହିଁ । ସମଗ୍ର ଦେଶରେ ଯେତିକି କୋଇଲା ଉତ୍ପାଦନ ହେଉଛି ତାର ଏକ ପଞ୍ଚାମାଂଶ କେବଳ ଓଡିଶାରୁ ଉତ୍ତୋଳିତ ହେଉଛି । ଓଡିଶାର କୋଇଲା ଖାଦାନରୁ କୋଇଲା ଉତ୍ତୋଳନ କରି ଜାତୀୟ ସ୍ତରର କମ୍ପାନୀମାନେ ପ୍ରଚୁର ଲାଭବାନ ହେଉଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ପରିବେଶ ପ୍ରଦୁଷଣ ଏବଂ ବିସ୍ଥାପନ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପୁର୍ନବାସ ଓ ଥଇଥାନ ପାଇଁ ସମ୍ବଳର ଆବଶ୍ୟକତା ଥିବାରୁ କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବି କରିଆସୁଛନ୍ତି । ତୁରନ୍ତ କୋଇଲା ରୟାଲିଟିକୁ 14ରୁ 20 ପ୍ରତିଶତକୁ ବୃଦ୍ଧି କରିବାକୁ ନବୀନ ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉତଥାପିତ ପ୍ରସଙ୍ଗଗୁଡିକ ଉପରେ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ସକରାତ୍ମକ ପ୍ରତିଶ୍ରୁତି ଦେଇଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ