ଭୁବନେଶ୍ବର: ରାଜ୍ୟରେ ନିର୍ବାଚନୀ ପ୍ରଚାର ସହ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ପାଇଁ ମଙ୍ଗଳବାର ରାଜଧାନୀ ଆସି ପହଞ୍ଚିଛନ୍ତି ବିଏସ୍ପି ସୁପ୍ରିମୋ ମାୟାବତୀ । ଏନେଇ ବରମୁଣ୍ଡା ପଡିଆରେ ଆୟୋଜିତ ଜନ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ସମସ୍ତ ଯୋଜନାକୁ ଟାର୍ଗେଟ କରିଛନ୍ତି ମାୟାବତୀ । କେନ୍ଦ୍ର ସରକାରଙ୍କ ଯୋଜନା ଦ୍ବାରା କେବଳ ପୁଞ୍ଜିପତିମାନେ ଲାଭବାନ ହୋଇଥିବାବେଳେ ଦଳିତ ଓ ସଂଖ୍ୟାଲଘୁମାନେ ଏବେ ବି ଅବହେଳିତ ବୋଲି ଅଭିଯୋଗ କରିଛନ୍ତି ମାୟାବତୀ ।
ତାଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଚୌକିଦାର କ୍ୟାମ୍ପେନ ଯେ କେବଳ ଲୋକ ଦେଖାଣିଆ । ବାସ୍ତବରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ ରାଜ୍ୟରେ ଶିଳାନ୍ୟାସ ହୋଇଛି ସତ କିନ୍ତୁ ଆରମ୍ଭ ହୋଇପାରିନି ପ୍ରକଳ୍ପର କାମ । ଅନ୍ୟପଟେ ସରକାର ଚାଷୀଙ୍କୁ ଭଣ୍ଡେଇବା ସହ ନିର୍ବାଚନ ସମୟରେ ଦେଇଥିବା ଅନେକ ପ୍ରତିଶୃତି ପୂରଣ କରିନାହାଁନ୍ତି ।
ସରକାରଙ୍କ ଯୋଜନାରେ କେବଳ ପୁଞ୍ଜିପତି ହିଁ ଲାଭବାନ ହେଉଛନ୍ତି ଓ କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣେ ଆଜି ବି ରାଜ୍ୟରେ ରହୁଥିବା 50 ପ୍ରତିଶତରୁ ଅଧିକ ଦଳିତ ଓ ସଂଖ୍ୟାଲଘୁମାନେ ଅବହେଳିତ ହୋଇ ରହିଛନ୍ତି । ଏତେ ସବୁ ସମସ୍ୟା ପରେ ଚଳିତ ନିର୍ବାଚନରେ କେନ୍ଦ୍ରରେ ମୋଦି ଆଉ ସରକାର ଗଢିପାରିବେନି ବୋଲି ମାୟାବତୀ କହିବା ସହ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ବିଏସ୍ପିକୁ ଭୋଟ ଦେବାକୁ ଆହ୍ବାନ ଦେଇଥିଲେ ।
ତେବେ ରାଜ୍ୟବାସୀଙ୍କୁ ଆଉ ଅଧିକାର ମାଗିବାର ଆବଶ୍ୟକତା ନାହିଁ, ନିଜେ ଅଧିକାର ଦେବାର ସକ୍ଷମ ହେବା ଆବଶ୍ୟକ । ଏଥିସହ ବୋଫର୍ଷ ଓ ରାଫେଲ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ମାୟାବତୀ । ତେବେ ସଭା ଆରମ୍ଭରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ ମାୟାବତୀ । ଭୁଲ ନୀତି ଯୋଗୁଁ ଦେଶରେ କଂଗ୍ରେସ ପ୍ରତ୍ୟାଖିତ ହୋଇଥିବାବେଳେ ଦେଶକୁ ବିଜେପି ବିଭାଜିତ କରୁଛି ବୋଲି ଆରୋପ ଲଗାଇଥିଲେ ବିଏସ୍ପି ସୁପ୍ରିମୋ ।
ଏକ ଚତୁର୍ଥାଂଶ ଦେଶ ପାଇଁ ବିଜେପି କିଛି କାମ କରିନାହିଁ । ତେଣେ ରାଫେଲରେ ବିଜେପି ଓ ବୋଫର୍ଷ ଘୋଟାଲାରେ କଂଗ୍ରେସ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଲେ ମାୟାବତୀ । ତେବେ ସଭା ପରେ ଶ୍ରୀକାନ୍ତ ଜେନା ବ୍ୟକ୍ତିଗତ ଭାବେ ମାୟାବତୀଙ୍କୁ ଭେଟି ଆଗାମୀ ସରକାର ଗଠନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ