ଭୁବନେଶ୍ବର: ଉପକୁଳ ଆଡକୁ ମାଡି ଆସୁଥିବା ବାତ୍ୟା ଫନି ପାଇଁ ରାଜ୍ୟବାସୀ ଚିନ୍ତାରେ ଥିବା ବେଳେ ଗୁରୁବାର ରାଜଧାନୀ ଭୁବନେଶ୍ବରର ଅନେକ ପେଟ୍ରୋଲ ପମ୍ପରେ ଲମ୍ବା ଭିଡ ଦେଖିବାକୁ ମିଳିଛି ।
ସାଧାରଣରେ ବାକି ଦିନରେ ଲୋକେ ନିଜ ଗାଡ଼ିରେ ଗୋଟିଏ ଲିଟର ବା ଦୁଇ ଲିଟର ତେଲ ଭରୁଥିବା ବେଳେ ବତ୍ୟାକୁ ଦୃଷ୍ଟିରେ ରଖି ଏବେ ଗାଡ଼ିର ଟାଙ୍କି ଫୁଲ କରିବାରେ ଲାଗିପଡିଛନ୍ତି ।
ଅତି ଭୟଙ୍କର ରୂପ ଧାରଣ କରିଥିବା ‘ଫନି’ ଘଣ୍ଟାପ୍ରତି 7 କିମି ବେଗରେ ସ୍ଥଳଭାଗ ଆଡକୁ ମାଡିଆସୁଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ, ଏହା ପୁରୀ ଠାରୁ 320 କିମି ଓ ବିଶାଖାପାଟନମ୍ ଠାରୁ 180 କିମି ଦୂରରେ ଥିବାବେଳେ ପଶ୍ଚିମବଙ୍ଗର ଦିଘା ବେଳାଭୂମିରୁ 600 କିମି ଦୂରରେ ରହିଛି ।
ଫନି ଉତ୍ତର-ଉତ୍ତରପୂର୍ବ ଆଡକୁ ଗତି କରୁଥିବାରୁ ଏହା ମେ 3 ତାରିଖରେ ରାଜ୍ୟର ଗୋପାଳପୁରରୁ ଚାନ୍ଦବାଲି ଭିତରେ ପୁରୀ ପାଖାପାଖି ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି । ତେବେ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି 170ରୁ 180 କିମି ରହିବ ବୋଲି ଆକଳନ କରାଯାଇଛି । ତେବେ ବେଳେବେଳେ ପବନର ବେଗ ଘଣ୍ଟାପ୍ରତି 200 କିମି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଭୁବନେଶ୍ବରରୁ ଶତରୁପା ସାମନ୍ତରାୟ, ଇଟିଭି ଭାରତ