ଭୁବନେଶ୍ବର: 3ୟ ପର୍ଯ୍ୟାୟ ମହା ଲଢେଇ ଆରମ୍ଭ ହୋଇଯାଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର 6ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟ ଗ୍ରହଣ । ଏହି ପର୍ଯ୍ୟାୟରେ ଟପ୍ ଲିଡରଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।
ତୃତୀୟ ପର୍ଯ୍ୟାୟରେ ମୋଟ 92.65 ଲକ୍ଷ ଭୋଟର ମତଦାନ କରିବେ। ରାଜ୍ୟର 6ଟି ଲୋକସଭା ଆସନ କଟକ, ଭୁବନେଶ୍ବର, ପୁରୀ, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ହେବ ଭୋଟିଂ । ଏହା ସହିତ ସମୁଦାୟ 47.99 ଲକ୍ଷ ପୁରୁଷ, 44.56 ଲକ୍ଷ ମହିଳା ଏବଂ 1163 ଜଣ ତୃତୀୟ ଲିଙ୍ଗ ଭୋଟର 10.464ଟି ବୁଥରେ ମତାଧିକାର ସାବ୍ୟସ୍ତ କରିବେ । ତେବେ 6ଟି ଲୋକସଭା କ୍ଷେତ୍ରରେ 61 ଜଣ ଏଥର ନିର୍ବାଚନ ଲଢୁଥିବା ସମୟରେ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନରେ 356 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି ଘମାସାନ ଫାଇଟ।
ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଟ୍ବିନ ସିଟିର ଦୁଇ ହାଇପ୍ରୋଫାଇଲ ଆସନ ଆସୁଥିବାରୁ ସେଠାରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ଏପରିକି ଭୁବେଶ୍ବର, କଟକ ଆସନ ସମେତ ପୁରୀ ସିଟରେ ମଧ୍ୟ ଟ୍ରାଏଙ୍ଗୁଲାର ଫାଇଟ ହେବ । ତୃତୀୟ ପର୍ଯ୍ୟାୟ ଭୋଟ ପଡିବା ସମୟରେ ରାଜଧାନୀ ଦେଖିବ ଆଇଏଏସ ଏବଂ ଆଇପିଏସ ଫାଇଟ। ଖାଲି ସେତିକି ନୁହେଁ, କଟକରେ ମଧ୍ୟ ବିଜେଡିର ଟାଣୁଆ ନେତାଙ୍କୁ ଟକ୍କର ଦେବାକୁ ପୂର୍ବତନ ଆଇପିଏସ ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ପୁରୀ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଲଢୁଥିବା ବେଳେ କଂଗ୍ରେସ ମଧ୍ୟ ରାଜ୍ୟର ଜଣେ ଜଣାଶୁଣା ମୁଁହକୁ ବିଜେଡିର 2ଥର ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି ।
ଭୁବନେଶ୍ବର ଲୋକସଭା ଆସନରରୁ ବିଜେଡି ଆଇପିଏସ ଅରୂପ ପଟ୍ଟନାୟକଙ୍କୁ ବିଜେପିର ଟାଣୁଆ ନେତ୍ରୀ ଅପରାଜିତା ଷଡଙ୍ଗୀ ଏବଂ କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କ ବିରୋଧରେ ନିର୍ବାଚନ ରଣଭୂମିରେ ଅବତୀର୍ଣ୍ଣ କରିଛି । ସେହିପରି କଟକରେ ହେବ ବିଜେଡିର ଭର୍ତ୍ତୃହରି ମହତାବ, ବିଜେପିର ପ୍ରକାଶ ମିଶ୍ର ଏବଂ କଂଗ୍ରେସର ପଞ୍ଚାନନ କାନୁନଗୋଙ୍କ ମଧ୍ୟରେ ବିଗ ଫାଇଟ । ପୁରୀ ଆସନରେ ବିଜେପିର ସମ୍ବିତ ପାତ୍ର, ବିଜେଡିର ପିନାକୀ ମିଶ୍ର ଏବଂ କଂଗ୍ରେସର ସତ୍ୟ ପ୍ରକାଶ ନାୟକଙ୍କ ମଧ୍ୟରେ କଡା ଟକ୍କର ହେବ ।
ଏହି ସହିତ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ଭୋଟର ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଅଶୋକ ଚନ୍ଦ୍ର ପଣ୍ଡା, ଅରବିନ୍ଦ ଢାଲି, ରାଜେନ୍ଦ୍ର ସାହୁ, ବିଭୁତି ବଳବନ୍ତରାୟଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ସହିପରି କଟକ ଲୋକସଭା ଆସନ ଅନ୍ତର୍ଗତ କଟକ-ବାରବାଟୀରେ ଦେବାଶିଷ ସାମନ୍ତରାୟଙ୍କୁ ଟକ୍କର ଦେବେ କଂଗ୍ରେସର ମହମ୍ମଦ ମୋକିମ ଏବଂ ବିଜେପିର ସମୀର ଦେ ।
ପୁରୀ ଲୋକସଭା ଆସନ ଅନ୍ତର୍ଗତ ଚିଲିକା ବିଧାନସଭାରୁ ପୃଥ୍ବୀରାଜ ହରିଚନ୍ଦନ, ନୟାଗଡରୁ ଅରୁଣ ସାହୁ, ପୁରୀରୁ ମହେଶ୍ବର ମହାନ୍ତି, ବ୍ରହ୍ମଗିରିରୁ ସଞ୍ଜୟ ଦାସ ବର୍ମା, ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ, ପିପିଲିରୁ ପ୍ରଦୀପ ମହାରଥୀଙ୍କ ରାଜନୈତିକ ଭାଗ୍ୟ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଇଭିଏମରେ ସିଲ ହେବ ।
ସେହିପରି ସମ୍ବଲପୁର ଲୋକସଭା ଆସନରୁ ବିଜେଡିର ନଳୀନକାନ୍ତ ପ୍ରଧାନ, ବିଜେପିର ନିତିଶ ଗଙ୍ଗଦେବ ଏବଂ କଂଗ୍ରେସର ଶରତ ପଟ୍ଟନାୟକ, କେନ୍ଦୁଝର ଲୋକସଭା ଆସନରୁ ବିଜେଡିର ଚନ୍ଦ୍ରାଣି ମୁର୍ମୁ, ବିଜେପିର ଅନନ୍ତ ନାୟକ ଏବଂ କଂଗ୍ରେସର ମୋହନ କୁମାର ହେମ୍ବ୍ରମ, ଢେଙ୍କାନାଳରୁ ବିଜେଡିର ମହେଶ ସାହୁ, ବିଜେପିର ରୁଦ୍ର ନାରାୟଣ ପାଣି ଏବଂ କଂଗ୍ରେସର କାମାକ୍ଷା ପ୍ରସାଦ ସିଂହଦେଓ ତୃତୀୟ ପର୍ଯ୍ୟାୟରେ ଦେବେ ଅଗ୍ନୀ ପରୀକ୍ଷା ।
ତେବେ ସମ୍ବଲପୁର, ଢେଙ୍କାନାଳ ଏବଂ କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ସିଟ ଯଥା- ଘଷିପୁରାରେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ଏବଂ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, କାମାକ୍ଷାନଗରରୁ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ବଲପୁରରୁ ବିଜେଡିର ରାସେଶ୍ବରୀ ପାଣିଗ୍ରାହୀ, କଂଗ୍ରେସର ଅଶ୍ବିନୀ ପୂଜାହାରୀ ଏବଂ ବିଜେପିର ଜୟନାରାୟଣ ମିଶ୍ରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ ।
ତେବେ ଦ୍ବିତୀୟ ପର୍ଯ୍ୟାୟ ବେଳେ ମାଓ ହିଂସା ଘଟିଥିବାରୁ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।