ବୌଦ୍ଧ: ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ । ଯେଉଁଥିପାଇଁ ଏବେଠୁ ସଜବାଜ ହେଲେଣି ତିନି ପ୍ରମୁଖ ଦଳ । ଏହି ପରିପ୍ରେକ୍ଷୀରେ ଗୁରୁବାର ବୌଦ୍ଧ ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀ ଆୟୋଜିତ ହୋଇଛି । ସମ୍ମିଳନୀରେ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ସବୁକୁ ଉପାନ୍ତ ଅଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚାଇବାକୁ ରାଜ୍ୟ ଯୁବ ବିଜେଡି ସଭାପତି ଆହ୍ବାନ ଦେଇଛନ୍ତି ।
ଗୁରୁବାର ବୌଦ୍ଧ ଟାଉନ ହଲଠାରେ ଏହି ସମ୍ମିଳନୀ ଆୟୋଜିତ କରାଯାଇଛି । ପ୍ରଥମେ ଟୋକିଓ ଅଲମ୍ପିକରେ ପଦକ ବିଜେତା ହକି ଟିମ୍ ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହଯୋଗ ପାଇଁ ତାଙ୍କୁ ସ୍ବତନ୍ତ୍ର ଭାବେ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେଠାରୁ ଦଳର ଯୁବ କର୍ମୀମାନଙ୍କୁ କଠିନ ପରିଶ୍ରମ କରିବାକୁ ଆହ୍ବାନ ଦିଆଯାଇଛି । ବିଶେଷ ଭାବେ କିଭଳି ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଉପାନ୍ତ ଅଞ୍ଚଳର ଗରିବ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି ।
କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ସମେତ ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, କାର୍ଯ୍ୟକାରୀ ସଭାପତି, ସଂପାଦକ, ଜିଲ୍ଲା ଯୁବ ବିଜେଡି ଓ ଛାତ୍ର ବିଜେଡିର କର୍ମକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ