ବୌଦ୍ଧ: ଜିଲ୍ଲାରେ ତୃତୀୟ ଦିନରେ ମଧ୍ୟ ଦିନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ନଦୀରେ ଜଳପ୍ରବାହ କମିବା ସହିତ ଗଛକଟା ଯୋଗୁଁ ଉତ୍ତପ୍ତ ହେଉଛି ପରିବେଶ । ତାତିଲା ରାସ୍ତାରେ ଚାଉଳ ପକାଇଲେ ମୁଢି ଓ ଗାଡି ଉପରେ ଅଣ୍ଡା ଫଟାଇଲେ ଆମଲେଟ୍ ହୋଇଯାଉଛି ।
ସୂର୍ଯ୍ୟଙ୍କ ପ୍ରକୋପରେ ଜଳୁଛି ସାରା ଜିଲ୍ଲା । ଆଜି ତୃତୀୟ ଦିନରେ ମଧ୍ୟ ସାରା ରାଜ୍ୟରେ ରେକର୍ଡ କଲା ବୌଦ୍ଧ ଜିଲ୍ଲା । ବୌଦ୍ଧର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବା ସହିତ ସାରା ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଗୋଟିଏ ପଟରେ ମହାନଦୀରେ ଜଳପ୍ରବାହ କମ ହେଉଥିବାବେଳେ, ସହରର ଉନ୍ନତି ଓ ରାସ୍ତା ପ୍ରଶସ୍ତ ପାଇଁ ଗଛକଟା କାରଣରୁ ପରିବେଶ ଉପରେ ଗଭୀର ପ୍ରଭାବ ପଡିବା ସହ ଉତ୍ତାପ ବୃଦ୍ଧିପାଉଛି ।
ଦିନ ୧୦ଟା ବେଳକୁ ବୌଦ୍ଧ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଘୋଷିତ କର୍ଫ୍ୟୁ ଭଳି ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି । ଆଜିର ପ୍ରଚଣ୍ଡ ଗ୍ରୀଷ୍ମ ତାପ ଏଭଳି ଥିଲା ଯେ, ରାସ୍ତାରେ ଚାଉଳ ପକାଇଲେ ମୁଢି ଓ ଗାଡିର ବୋନେଟ ଉପରେ ଅଣ୍ଡା ଫଟାଇଲେ ଆମଲେଟ ହୋଇଯାଉଥିବା ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ