ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ସାପ୍ତାହିକ ବୟନ ବଜାର । ଯାହା ପଶ୍ଚିମ ଓଡିଶାର ଦ୍ବିତୀୟ ବୃହତ ବୟନ ବଜାର । ବୌଦ୍ଧ ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ପ୍ରାଙ୍ଗଣରେ ରବିବାର ସାପ୍ତାହିକ ବୁଣାକାର ବଜାର ଉଦଘାଟିତ ହୋଇଛି । ବୌଦ୍ଧ ଜିଲ୍ଲାରେ ବୟନ ଶିଳ୍ପର ଏକ ସ୍ବତନ୍ତ୍ର ପୃଷ୍ଠଭୂମି ରହିଥିବା ବେଳେ ବୁଣାକାରମାନଙ୍କୁ ବଜାର ସୁବିଧା ଯୋଗାଇ ଦେବା ତଥା ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ବୟନ ସାମଗ୍ରୀ ଯୋଗାଇବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ସାପ୍ତାହିକ ବୁଣାକାର ବଜାରର ଶୁଭାରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିବା ବେଳେ ଆସିକା ବିଧାୟକ, ବୌଦ୍ଧ ଜିଲ୍ଲାପାଳ, ଏଡିଏମ, ସୋନପୁର ପିଡି, ନଗରପାଳ, ଉପଜିଲ୍ଲାପାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲାରେ ପ୍ରଥମଥର ପାଇଁ ଏଭଳି ବଜାରର ଆରମ୍ଭ ହୋଇଥିବା ବେଳେ ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବୟନ ବ୍ୟବସାୟୀ ଓ ଗ୍ରାହକ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଲୁଗା କ୍ରୟବିକ୍ରୟ କରିଥିଲେ ।
ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ,"ସାରା ଓଡିଶା ତଥା ବିଶେଷ କରି ପଶ୍ଚିମ ଓଡିଶାରୁ ଆରମ୍ଭ କରି ଉପକୂଳ ଓଡିଶାରୁ ବିଭିନ୍ନ ବୁଣାକାରମାନେ ଏଠାରେ ଆସି ଅଂଶ ଗ୍ରହଣ କରିଛନ୍ତି । ଏଥିସହ ସେମାନଙ୍କର ବ୍ୟବସାୟ ମଧ୍ୟ ଚାଲୁ ରଖିଛନ୍ତି । ଏହି ବଜାର ଆଗାମୀ ଦିନରେ ଏକ ପ୍ରମୁଖ ବଜାର ହେବ।"
ଇଟିଭି ଭାରତ, ବୌଦ୍ଧ